ନୂଆଦିଲ୍ଲୀ: ସବୁବେଳେ ଏମିତି ହୋଇଥାଏ ଯେ, ଆମେ ଛଣାଯାଇଥିବା ତେଲର ଅବଶିଷ୍ଟକୁ ଶେଷ ହେବା ପର୍ଯ୍ୟନ୍ତ ଅନ୍ୟ ରୋଷେଇରେ ବ୍ୟବହାର କରିଥାଉ । କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ହାନୀକାରକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି ।
ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍ଆର) ନିକଟରେ ଜାରି କରିଥିବା ମାର୍ଗଦର୍ଶିକାରେ ବନସ୍ପତି ତେଲ ଅଥବା କୌଣସି ପ୍ରକାରର ତେଲକୁ ବାରମ୍ବାର ଗରମ କରିବାରୁ ନିବୃତ୍ତ ରହିବା ଦରକାର । ଚିକିତ୍ସା ଅନୁସନ୍ଧାନ ଶାଖା ତରଫରୁ କୁହାଯାଇଛି ଯେ, ବନସ୍ପତି ତେଲକୁ ବାରମ୍ବାର ଗରମ କରିବା ଦ୍ୱାରା ବିଷାକ୍ତ ଉତ୍ପାଦ ସୃଷ୍ଟି କରିଥାଏ । ଏହା ହୃଦୟ ରୋଗ ଓ କର୍କଟ ଭଳି ବିପଦପୂର୍ଣ୍ଣ ରୋଗ ବଢ଼ାଇବାରେ ସାହାଯ୍ୟ କରିଥାଏ ।
ବିଗତ ଅଧ୍ୟୟନରୁ ଏହା ଜଣାପଡ଼ିଛି ଯେ, ଛଣାଯାଇଥିବା ଅବଶିଷ୍ଟ ତେଲକୁ ଦ୍ୱିତୀୟ ଥର ଗରମ କରିବା ଦ୍ୱାରା ଏଥିରୁ ବିଷାକ୍ତ ପଦାର୍ଥ ନିଗର୍ତ ହୋଇଥାଏ । ଶରୀରରେ ଏହି ତେଲ ଫ୍ରି ରୈଡିକଲ୍ସ ମଧ୍ୟ ବଢ଼ାଇପାରେ, ଯେଉଁଥିରେ ସୂଜନ ଓ ବିଭିନ୍ନ ବିପଦପୂର୍ଣ୍ଣ ରୋଗ ହେବାର ଆଶଙ୍କା ରହିଥାଏ ।
ଆଇସିଏମ୍ଆର ରାଷ୍ଟ୍ରୀୟ ପୋଷଣ ସଂସ୍ଥାନ ସହିତ ଯୁଗ୍ମ ଭାବେ ଭିନ୍ନ-ଭିନ୍ନ ଆୟୂ ବର୍ଗର ଲୋକଙ୍କ ପାଇଁ ୧୭ ନୂଆ ଆହାର ମାର୍ଗଦର୍ଶିକା ଜାରି କରିଛି । ଏହା ଦ୍ୱାରା ଲୋକେ ଭଲ ଭୋଜନ ବିକଳ୍ପ ଚୟନ କରିପାରିବେ । ମାର୍ଗଦର୍ଶିକାର ଉଦ୍ଦେଶ୍ୟ ଭାରତୀୟମାନଙ୍କୁ ନିଜର ସ୍ୱାସ୍ଥ୍ୟ ଭଲ ରଖିବା ଓ ସବୁ ପ୍ରକାରର ଅପପୁଷ୍ଟିକୁ ରୋକିବା । ତେଣୁ ଛଣା ଯାଇଥିବା ଅବଶିଷ୍ଟ ତେଲକୁ ଖାଇବାରେ ବ୍ୟବହାର କରିବା ଉଚିନ ନୁହେଁ ।