ଶବଦାହ କରିବାକୁ ମଶାଣୀକୁ ଆସିଥିବା ବେଳେ ଆକ୍ରମଣ କଲା ମହୁମାଛି । ଫଳରେ ଘଟଣା ସ୍ଥଳରେ ୪ ଜଣ ଗୁରୁତର ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଡେମୁରିଆ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଡେମ୍ବୁରିଆ ଗ୍ରାମର ଅନନ୍ତ ଜେନା ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଏବଂ ତାଙ୍କର ଅନ୍ତିମ ସଂସ୍କାର ପାଇଁ ଗ୍ରାମବାସୀମାନେ ତାଙ୍କ ମୃତଦେହକୁ ମଶାଣିକୁ ନେଇ ଯାଇଥିଲେ । ଆଉ ମଶାଣିରେ ପହଂଚିବା ମାତ୍ରେ ଶହଶହ ମହୁମାଛି ଲୋକମାନଙ୍କୁ ଆକ୍ରମଣ କରିଥିଲେ । ଫଳରେ ଲୋକମାନେ ଶବ ଛାଡି ଜୀବନ ବିକଳେ ଦୈାଡା ଦୈାଡି ହୋଇ ପଳାଇ ଯାଇଥିଲେ । ତେବେ ଘଟଣା ସ୍ଥଳରେ ୪ ଜଣ ଲୋକ ଗୁରୁତର ହୋଇଥିବା ବେଳେ ୧୫ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି । ଏନେଇ ଗ୍ରାମବାସୀ ପୋଲିସ ଓ ଅଗ୍ନିଶମ ବାହିନୀଙ୍କୁ ଖବର ଦେବା ପରେ ଗୁରୁତର ମାନଙ୍କୁ ଆମ୍ବୁଲାନ୍ସ ସାହାର୍ଯ୍ୟରେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।