ନାବାଳିକାକୁ ୪ ମାସର ଗର୍ଭବତୀ କରି ଗିରଫ ହେଲେ ଅଭିଯୁକ୍ତ । ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଖଣ୍ଡବନ୍ଧ ଗ୍ରାମପଞ୍ଚାୟତର ଭୈରାଣିବେଡା ଗ୍ରାମରେ ୧୪ ବର୍ଷର ଝିଅକୁ ଦୁଷ୍କର୍ମ କରି ଗର୍ଭବତୀ କରିଥିବା ଅପରାଧରେ ନବୀନ କଳା ନାମକ ଜନୈକ ଯୁବକଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଛି ।
ସୂଚନା ଅନୁଯାୟୀ,ଭୈରାଣିବେଡା ଗ୍ରାମର ଅଷ୍ଟମଶ୍ରେଣୀରେ ପଢ଼ୁଥିବା ନାବାଳିକା ଗତ ଜୁଲାଇ ୧୭ ତାରିଖରେ ସେବାଶ୍ରମରେ ନାମ ଲେଖାଇଥିଲା । ୨୩ ତାରିଖରେ ଛାତ୍ରୀ ଜଣକ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲା । ସଙ୍ଗେ ସଙ୍ଗେ ପ୍ରଧାନଶିକ୍ଷକ ଛାତ୍ରୀର ଚିକିତ୍ସା ପାଇଁ ପଡିଆବେଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଉପଚାର ନହେବାରୁ ତାକୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ବାଳିକା ଗର୍ଭବତୀ ଥିବା ଡାକ୍ତର ଜଣାଇଥିଲେ । ଖବର ଜଣାପଡିବା ପରେ ପରିବାର ପକ୍ଷରୁ ଆରମ୍ଭ ହୋଇଥିଲା ଖୋଳତାଡ଼ ।
ଝିଅ ସହିତ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ନନିକାବାଡ଼ି ଗ୍ରାମର ନବୀନ କଳା ମାର୍ଚ୍ଚ ମାସରୁ ଝିଅ ସହ ଶାରୀରିକ ସମ୍ପର୍କ ରଖି ଆସୁଥିବା ଜଣାପଡିଲା । ଏନେଇ ନାବାଳିକାର ବାପା ୨୩ ତାରିଖରେ ଠାକୁରମୁଣ୍ଡା ଥାନାରେ ଏତଲା ଦାଏର କରିବା ପରେ ପୋଲିସ ନବୀନକୁ ଠାବ କରି ଥାନାକୁ ଆଣି ତଦନ୍ତ କରିଥିଲା । ନବୀନର ମାଉସୀ ଘର ଭୈରାଣିବେଡା ଗ୍ରାମରେ । ମାଉସୀ ଘରକୁ ଆସି ନବୀନ ନାବାଳିକାକୁ ବିବାହ କରିବାର ପ୍ରତିଶୃତି ଦେଇ ସମ୍ପର୍କ ରଖି ଆସୁଥିବା ସ୍ୱୀକାର କରିଛି l ଠାକୁରମୁଣ୍ଡା ଥାନା ପୋଲିସ ପକ୍ଷରୁ ଆରଡବ୍ଲୁ ସେକ୍ସନ ୬ ପୋକ୍ସ ଆକ୍ଟରେ ନବୀନକୁ ଗିରଫ କରି ବାରିପଦା ପୋକ୍ସ କୋର୍ଟରେ ହାଜର କରାଯାଇଛି।