ଧରାପୃଷ୍ଠରେ ବିରାଜିଛନ୍ତି ପାର୍ବତୀ ନନ୍ଦନ। ତେଣୁ ଏ ନେଇ ଚଳଚଞ୍ଚଳ ହୋଇଉଠିଛି ପୁରପଲ୍ଲୀ। ଗଣପତିଙ୍କ ମନ୍ତ୍ରଧ୍ବନିରେ ଗୁଞ୍ଜରିତ ହେଉଛି ଚତୁର୍ଦିଗ। ବୁଦ୍ଧି ଓ ବିଦ୍ୟାର ଭଣ୍ଡାର ହେଉଛନ୍ତି ପ୍ରଭୁ ଗଜାନନ। ତେଣୁ ହିନ୍ଦୁ ଧର୍ମରେ ଯେକୌଣସି ମାଙ୍ଗଳିକ କାର୍ଯ୍ୟ ହେବା ପୂର୍ବରୁ ଅଗ୍ରପୂଜ୍ୟ ଗଣନାଥଙ୍କୁ ପୂଜା କରାଯାଏ। ସେହିପରି ବୌଦ୍ଧ ଜିଲ୍ଲାର ଲକ୍ଷ୍ମୀପ୍ରସାଦ ପଂଚାୟତର ନାରାୟଣନଗର ଦୈନିକବଜାର ଠାରେ ଗଣେଶ ପୂଜା କମିଟି ପକ୍ଷରୁ ଗଣେଶ ପୂଜା ଅନୁଷ୍ଠିତ ହୋଇଥିଲା। ଗଣେଶ ପୂଜା କମିଟିର ଆବାହକ ଦେବ କିଶୋର ସାହୁଙ୍କ ତତ୍ଵାବଧାନରେ ଅନୁଷ୍ଠିତ ଗଣେଶ ପୂଜାରେ କର୍ତ୍ତା ରବି ମେହେର ଓ ପୂଜକ ଭାବେ ଅଜିତ ପାଣିଗ୍ରାହୀ ଯୋଗଦାନ କରି ପୂଜାକାର୍ଯ୍ୟ ତୁଲାଇଥିଲେ। ଏହି ଅବସରରେ ସନ୍ଧ୍ୟାରେ ୫୦୦୧ ଦୀପ ପ୍ରଜ୍ଜ୍ଵଳନ କରାଯାଇଥିଲା। ଏହାସହିତ ଭକ୍ତ ମାନଙ୍କ ପାଇଁ ଅନ୍ନ ପ୍ରସାଦ ପ୍ରସ୍ତୁତ କରାଯାଇଥିଲା। ଏହି ଦୀପ ଯଜ୍ଞରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇ ପ୍ରଭୁଙ୍କ ଦର୍ଶନ ପ୍ରାପ୍ତ କରିଥିଲେ।