କଟକ: କଟକ ଯୋବ୍ରା ବ୍ରିଜ ଉପରେ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଘଟିଛି ସିରିଜ ଦୁର୍ଘଟଣା। ସ୍କର୍ପିଓଟି ପିକ୍ଅପ୍ ଭ୍ୟାନକୁ ପିଟିବା ସହ ଅଟୋକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ବ୍ରିଜ ବାଡ଼ ଭାଙ୍ଗି ଅଧାରେ ଅଟକି ରହିଲା ସ୍କର୍ପିଓ। ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓର ଆଗ ଏବଂ ପଛରେ ଅଲଗା ଅଲଗା ନମ୍ବର ରହିଛି।
ସୂଚନା ଅନୁଯାୟୀ, ଜୋବ୍ରା ଵ୍ୟାରେଜ ନିକଟରେ ପୋଲିସ ଗାଡି ଯାଞ୍ଚ କରୁଥିବା ସମୟରେ ସ୍କର୍ପିଓ ଗାଡ଼ି ଆସୁଥିଲା । ଅଟକାଇଵା ପାଇଁ ପୋଲିସ ହାତ ମାରିବା ଦେଖି ହଠାତ ଦ୍ରୁତ ଗତିରେ ଗାଡିଟି ପୋଲିସ ଆଡ଼କୁ ମାଡି ଆସିଥିଲା। ପୋଲିସ ହଟିଯିଵାରୁ ସ୍କର୍ପିଓ ଗାଡି ଖସି ପଳାଇବାକୁ ଚେଷ୍ଟା କରିବା ସମୟରେ ପ୍ରଥମେ ପିକ୍ଅପକୁ ପିଟିବା ପରେ ଓଟୋକୁ ଧକ୍କା ଦେଇଥିଲା। ଏହା ପରେ ସ୍କର୍ପିଓଟି ବ୍ରିଜ ବାଡରେ ପିଟି ହୋଇ ଅଟକି ରହିଥିଲା ।
ଦୁର୍ଘଟଣାରେ ସ୍କର୍ପିଓ ଚଳାଉଥିବା ଯୁବକ, ସ୍କର୍ପିଓରେ ଥିବା ଜଣେ ଯୁବତୀଙ୍କ ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ଘଟାଇଥିବା ସ୍କର୍ପିଓରୁ ବିପୁଳ ମଦ ଜବତ କରିଛି ପୋଲିସ। ସେଥିରେ ବସିଥିବା ଦୁଇ ଯୁବତୀ ଏବଂ ଯୁବକମାନେ ମଦ ନିଶାରେ ଚୋର ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।