ଭୁବନେଶ୍ଵର: ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବାଲେଶ୍ଵର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରି ସ୍ଥିତି ସମୀକ୍ଷା କରିଛନ୍ତି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉପରମୁଣ୍ଡରେ ବର୍ଷା ଓ ବନ୍ୟାର ସ୍ଥିତି ସଂପର୍କରେ ଅନୁଧ୍ୟାନ କରିବା ସହିତ ଝାଡ଼ଖଣ୍ଡର ଜଳସଂପଦ ବିଭାଗ ସଚିବ ପ୍ରଶାନ୍ତ କୁମାରଙ୍କ ସହିତ କଥା ହୋଇଛନ୍ତି ।
ସୁବର୍ଣ୍ଣରେଖାର ରାଜଘାଟଠାରେ ଜଳସ୍ତର ଗତ ୨ ଘଣ୍ଟା ଧରି ୧୧.୬୦ ମିଟରରେ ସ୍ଥିର ରହିଛି। ପୂର୍ଣ୍ଣିମା ଯୋଗୁଁ ସମୁଦ୍ର ଜୁଆରିଆ ହେତୁ ଜଳ ନିଷ୍କାସନରେ ବିଳମ୍ବ ଘଟୁଛି । ଗତ ୨ ଦିନରେ ବର୍ଷା ଯୋଗୁଁ ସମ୍ଭାବ୍ୟ ବନ୍ୟା ସ୍ଥିତିର ଅନୁଧ୍ୟାନ ପାଇଁ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ର ଶେଖର ପାଢୀ ବାଲେଶ୍ଵର ଠାରେ ଅବସ୍ଥାନ କରି ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି । ଜଳକା ନଦୀର ଜଳସ୍ତର ତଳକୁ ଖସୁଥିବା ଜଣାଯାଇଛି । ତେଣୁ ସ୍ଥିତି ନିୟନ୍ତ୍ରଣାଧୀନ ରହିଥି୍ବା ସମୀକ୍ଷାରୁ ଜଣାପଡିଛି । ସେହିପରି ବୁଢାବଳଙ୍ଗ ନଦୀର ଗୋବିନ୍ଦପୁର ଠାରେ ଜଳସ୍ତର ୬.୯୪ ମିଟରରେ ବିପଦ ସଙ୍କେତ ତଳେ ଥିବା ଜଣାଯାଇଛି ଏବଂ ଜଳପତନ ସ୍ତର ହ୍ରାସ ପାଉଛି। ବ୍ରାହ୍ମଣୀ ଓ ବୈତରଣୀ ନଦୀର ଜଳ ସ୍ତର ବିପଦ ସଂକେତ ତଳେ ପ୍ରବାହିତ ହୋଇଛି ।
ଉନ୍ନୟନ କମିଶନର ସ୍ଥିତି ଅନୁଧ୍ୟାନ କରି ସମସ୍ତ ବିଭାଗୀୟ ଯନ୍ତ୍ରୀ ଏବଂ ଅଧିକାରୀମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେବା ସହ ବାଲେଶ୍ଵର ଜିଲ୍ଲାର ଯନ୍ତ୍ରୀ ଏବଂ ଅଧିକାରୀମାନକ ମାନଙ୍କୁ ସ୍ଵତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକତା ଅନୁସାରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି।
ଏହାପରେ ଶ୍ରୀମତୀ ଗର୍ଗ ରାଜ୍ୟର ବିଭିନ୍ନ ବୃହତ୍ତ ଓ ମଧ୍ୟମ ଜଳ ଭଣ୍ଡାରର ଜଳସ୍ତର ସ୍ଥିତିର ସମୀକ୍ଷା କରିଛନ୍ତି । ଆଜି ସକାଳ ସୁଦ୍ଧା ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ୬୨୮.୯୧ ଫୁଟ, ରେଙ୍ଗାଲୀର ଜଳସ୍ତର ୧୨୧.୯୮ ମିଟର ଅପର କୋଲାବର ଜଳସ୍ତର ୮୫୬.୯୫ ମିଟର, ବାଲିମେଳାରେ ଜଳସ୍ତର ୧୫୧୨.୫ ଫୁଟ ଏବଂ ଲୋୟର ଇନ୍ଦ୍ରାବତୀର ଜଳସ୍ତର ୨୬୪.୨୧ ମିଟର ରହିଥିଲା। ଋଷିକୁଲ୍ୟା ଅବବାହିକାର ଧନେଇ ଡ୍ୟାମକୁ ବାଦ ଦେଇ ଅନ୍ୟ ସମସ୍ତ ୭ଟି ମଧ୍ୟ ମଧ୍ୟମ ଜଳଭଣ୍ଡାରର ଜଳସ୍ତରର ହାରାହାରି ଜଳସ୍ତର ରହିଛି ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗର ଇଂଜିନିୟର ତଥା ଅତିରିକ୍ତ ସଚିବ ଶ୍ରୀମତୀ ଆରତୀ ରାଉତ, ଜଳ ସଂପଦ ବିଭାଗର ଆନ୍ତଃ ରାଜ୍ୟ ଦାୟିତ୍ୱରେ ଥିୂବା ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଆଶୁତୋଷ ଦାଶ, ସର୍ବୋଚ୍ଚ ଯନ୍ତ୍ରୀ ତଥା ନୋଡାଲ ଅଧୋକାରୀ (ବନ୍ୟା ନିୟନ୍ତ୍ରଣ) ଶ୍ରୀ ବିଜୟ କୁମାର ସାମଲ, ମୁଖ୍ୟ ଯନ୍ତ୍ରୀ ( ପ୍ଲାନିଂ ) ଶ୍ରୀ ସାଗର ମହାନ୍ତି, ମୁଖ୍ୟ ଯନ୍ତ୍ରୀ, ଏଚ୍ ଏଚ୍, ଜିଆଇଏସ ଶ୍ରୀ ସୁଜିତ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।