ଭୁବନେଶ୍ୱର: ସ୍ଥଳ ସେନା ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ହଇରାଣ କରାଯିବା ମାମଲରା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଆରକ୍ଷୀ ମହା ନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ । ସେମାନଙ୍କୁ ହଇରାଣ କରିଥିବା ରୋଡ୍ ରୋମିଓଙ୍କୁ ବାନ୍ଧିବ ପୁଲିସ । ମାମଲା ରୁଜୁ କରିବା ସହ ତୁରନ୍ତ ତଦନ୍ତ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଏହି ମାମଲାରେ ଜଡ଼ିତ ଥିବା ଆଉ ଏକ ମାମଲାରେ ଭରତପୁର ଥାନାର ତତ୍କାଳୀନ ଅଧିକାରୀଙ୍କ ସହ ୫ ପୁଲିସ କର୍ମଚାରୀମାନଙ୍କର ବୟାନ ରେକର୍ଡ କରାଯାଇଛି । ଆଗାମୀ ଦିନରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ମଧ୍ୟ ବୟାନ ରେକର୍ଡ କରାଯିବ ବୋଲି କହିଛନ୍ତି ଡିଜିପି ।
ଗତ ୧୪ ତାରିଖ ଶନିବାର ବିଳମ୍ବିତ ରାତିରେ ମେଜର ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀ ପଟିଆରୁ କାରରେ ଯାଉଥିଲେ । ଏହି ସମୟରେ ୨ଟି କାରରେ କିଛି ଅସମାଜିକ ଯୁବକ ଆସି ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ । ଏ ନେଇ ମେଜର ଏବଂ ତାଙ୍କ ବାନ୍ଧବୀ ଭରତପୁର ଥାନାରେ ଅଭିଯୋଗ କରିଥିଲେ ।
ମାତ୍ର ପୁଲିସ ପିସିଆର୍ ପଠାଇବା ବଦଳରେ ପ୍ରଥମେ ଲିଖିତ ଅଭିଯୋଗ କରିବାକୁ କହିଥିଲେ । ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ତଦନ୍ତ କରିବା ପରିବର୍ତ୍ତେ ଗୁରୁବଂଶଙ୍କୁ ଲକ୍ଅପ୍ରେ ରଖିଥିଲା ପୁଲିସ । ଏହା ସହିତ ତାଙ୍କ ବାନ୍ଧବୀଙ୍କୁ ଅନ୍ୟ ପୁଲିସ କର୍ମଚାରୀମାନେ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିଲେ । ଏମିତିକି ଆଇଆଇସି ଦୁଷ୍କର୍ମ ଧମକ ଦେଇଥିବା ନେଇ ସେ ଅଭିଯୋଗ କରିଛନ୍ତି ।