କୋଲକାତା: କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ ଓ ହତ୍ୟା ମାମଲାରେ ନ୍ୟାୟ ଦାବିରେ ଆନ୍ଦୋଳନ କରୁଥିବା କନିଷ୍ଠ ଡାକ୍ତର ଗୁରୁବାର ହଡତାଳ ସମାପ୍ତ କରିବାକୁ ଘୋଷଣା କରିଛନ୍ତି । ଏଥିସହ ଡାକ୍ତର ଶନିବାର ନିଜ କାମକୁ ଫେରିବେ । ଡାକ୍ତରଙ୍କ ଏହି ଘୋଷଣାରେ ମମତା ବାନାର୍ଜୀ ସରକାରଙ୍କୁ ବଡ ଆଶ୍ୱସ୍ତି ମିଳିଛି । ତଥାପି ଜରୁରୀକାଳୀନ ସେବା ଖୋଲା ରହିଲେ ମଧ୍ୟ ଓପିଡି ସେବା ଚାଲୁ ହେବ ନାହିଁ ।
ପଶ୍ଚିମବଙ୍ଗ ସରକାର ଅଧିକାଂଶ ଦାବି ମାନିବା ପରେ ଆନ୍ଦୋଳନରତ ଜୁନିୟର ଡାକ୍ତରମାନେ ନିଜର ହଡତାଳ ସମାପ୍ତ କରିବାକୁ ଘୋଷଣା କରିଛନ୍ତି । ସେମାନଙ୍କ ପକ୍ଷରୁ କୋଲକାତାରର ସ୍ୱାସ୍ଥ୍ୟ ବିଭାଗ ମୁଖ୍ୟାଳୟ ସାମ୍ନାରେ ଜାରି ଧାରଣାକୁ ଶୁକ୍ରବାର ସକାଳେ ପ୍ରତ୍ୟାହାର କରି ନିଆଯିବ । ଆନ୍ଦୋଳନକାରୀ ଡାକ୍ତର ଶୁକ୍ରବାର ଶେଷ ପ୍ରଦର୍ଶନ କରିବା ପରେ ଶନିବାର କାମକୁ ଫେରିବେ ।
ପ୍ରଦର୍ଶନକାରୀ ଜୁନିୟର ଡାକ୍ତର ଅକିବ କହିଛନ୍ତି, ହତତାଳର ୪୧ତମ ଦିନରେ ପଶ୍ଚିମବଙ୍ଗ ଜୁନିୟର ଡାକ୍ତର ଫ୍ରଣ୍ଟର ଏହା କହିବା କଥା ଯେ, ଆମେ ଆନ୍ଦୋଳନ ସମୟରେ ବହୁତ କିଛି ହାସଲ କରି ନେଇଛୁ । ମାତ୍ର ଆହୁରି ଅନେକ ଦାବି ପୂରଣ ବାକି ରହିଛି । ଆମେ କୋଲକାତାର ପୋଲିସ କମିଶନର ଓ ଡିଏମଇ, ଡିଏଚଏସଙ୍କୁ ଇସ୍ତଫା ଦେବାକୁ ବିବଶ କରିଛୁ । କିନ୍ତୁ ଏହା ଭାବିବା ଭୁଲ ଯେ, ଆମର ଆନ୍ଦୋଳନ ସମାପ୍ତ ହୋଇଗଲା । ଆମେ ଏହାକୁ ନୂତନ ଶୈଳୀରେ ଆଗକୁ ବଢାଇବୁ ।
ପଶ୍ଚିମବଙ୍ଗ ସରକାର ଆମକୁ ଆଶ୍ୱାସନା ଦେଇଛନ୍ତି ଯେ, ସୁରକ୍ଷା ସଂପର୍କିତ ସମସ୍ତ ଉପାୟ ଅବଲମ୍ବନ କରାଯିବ । କିନ୍ତୁ ଅଦ୍ୟାବଧି ଏହା ପାଳନ କରାଯାଇ ନାହିଁ । ଆମେ ଏବେ ବି ମୁଖ୍ୟ ସଚିବଙ୍କୁ ପଦରୁ ହଟାଇବାକୁ ଦାବି କରୁଛୁ । ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୨୦ ତାରିଖରେ ସିଜିଓ କମ୍ପେ୍ଲକ୍ସରୁ ଏକ ରାଲି ବାହାର କରାଯାଇ ନିଜର ଆନ୍ଦୋଳନ ସମାପ୍ତ କରିବୁ । ଆମେ ଶନିବାରଠୁ ନିଜର କାମ ପୁଣି ଥରେ ଆରମ୍ଭ କରିବା ସହିତ ପ୍ରଶାସନ ଉପରେ କଡା ନଜର ରଖିବୁ । ଯଦି ଆମକୁ ହୃଦବୋଧ ହେବ ଦାବି ପୂରଣ କରିବାରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି, ପୁଣି ମଜବୁତର ସହ ଆନ୍ଦୋଳନକୁ ଓହ୍ଲାଇବୁ ।