ପାଟଣା: ବିହାରର ନୱାଦାରେ ଜମି ବିବାଦକୁ ନେଇ ଦୁର୍ବୃତ୍ତମାନେ ଉନ୍ମୁକ୍ତ କାଣ୍ଡ କରିଛନ୍ତି। ଦୁର୍ବୃତ୍ତମାନେ ଦଳିତମାନଙ୍କର ୮୦ ବଖରାରେ ନିଆଁ ଲଗାଇଦେଇଛନ୍ତି। ଗାଁ ଲୋକଙ୍କର କହିବା ଅନୁସାରେ ଏହି ଅଗ୍ନିକାଣ୍ଡରେ ସେମାନଙ୍କର ସର୍ବନାଶ ହୋଇଯାଇଛି। ମାତ୍ର ପୁଲିସ କହିଛି ଯେ, ଅଗ୍ନିକାଣ୍ଡ ଯୋଗୁ ୨୦ ବଖରା ଘର ଭସ୍ମୀଭୂତ ହୋଇଛି। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନାହାନ୍ତି। ଏଥି ସହିତ ପୁଲିସ ୧୦ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି। ବିରୋଧୀ ଦଳ ସରକାରଙ୍କୁ ଘେରିଛନ୍ତି।
ଏହି ଘଟଣା ନୱାଦାର ମୁଫସ୍ସିଲ ଅଞ୍ଚଳର ନନୌରା ନିକଟ କୃଷ୍ଣା ନଗର ଦଳିତ ବସ୍ତିରେ ଘଟିଛି। ଏଠାରେ ୨ଟି ଗୋଷ୍ଠୀ ଜମିକୁ ନେଇ ବିବାଦ ଦେଖାଯାଇଛି। ଏହାକୁ ନେଇ ବୁଧବାର ସନ୍ଧ୍ୟାରେ ଦୁର୍ବୃତ୍ତମାନେ ଅଗ୍ନି ସଂଯୋଗ କରିଥିଲେ। କୁହାଯାଉଛି ଯେ, ଦୁର୍ବୃତ୍ତମାନେ ଦଳିତମାନଙ୍କ ଉପରେ ଆକ୍ରମଣ କରିଥିଲେ। ଫାଙ୍କା ଗୁଳିଚାଳନା ମଧ୍ୟ କରିଥିଲେ। ଶେଷରେ ଘରେ ନିଆଁ ଲଗାଇ ଦେଇଥିଲେ।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗାଁରେ ଜମିର ଏକ ଅଂଶ ଦଳିତମାନେ ଅକ୍ତିଆର କରିଛନ୍ତି। ପୀଡିତ ପରିବାରଙ୍କ ଅଭିଯୋଗ ହେଲା ଯେ, ବୁଧବାର ସନ୍ଧ୍ୟାରେ ଅଚାନକ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ମାରପିଟ ସହିତ ସେମାନଙ୍କର ଘରେ ନିଆଁ ଲଗାଇ ଦେଇଥିଲେ। ନିଆଁ ଲାଗିବା ସଂପର୍କିତ ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀ ଅଳ୍ପ ସମୟ ମଧ୍ୟରେ ଘଟଣାସ୍ଥଳକୁ ପହଞ୍ଚି ଥିଲେ। ମାତ୍ର ସେତେବେଳେକୁ ଘରଗୁଡ଼ିକ ଭସ୍ମୀଭୂତ ହୋଇସାରିଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି କୃଷ୍ଣା ନଗରରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।
ଅଧିକ ପଢ଼ନ୍ତୁ: ପୂର୍ବତନ ଆଇଏଏସ୍ ଅଧିକାରୀଙ୍କ ଘରୁ ୭ କୋଟି ଟଙ୍କାର ହୀରା ଜବତ