ଚେନ୍ନାଇ: ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ଵେ ପ୍ରଥମ ଦିନର ଖେଳା ଶେଷ ସୁଦ୍ଧା ଭାରତ ୬ ଓ୍ଵିକେଟ୍ ହରାଇ ୩୩୯ ରନ କରିଛି। ଭାରତ ପାଇଁ ତ୍ରାଣକର୍ତ୍ତା ସାଜିଛନ୍ତି ରବିଚନ୍ଦ୍ରନ ଅଶ୍ଵିନ ଓ ରବୀନ୍ଦ୍ର ଜାଡ଼େଜା। ଅଶ୍ଵିନ ଶତକ ଅର୍ଜନ କରିବା ସହିତ ୧୦୨ ଏବଂ ଜାଡ଼େଜା ୮୬ ରନ କରି ଅପରାଜିତ ଅଛନ୍ତି। ଦୁଇ ବ୍ୟାଟର ସପ୍ତମ ଓ୍ଵିକେଟ୍ ପାଇଁ ୧୯୫ ରନ ଭାଗିଦାରୀ ଯୋଡ଼ି ସାରିଛନ୍ତି।ବାଂଲାଦେଶ ପକ୍ଷରୁ ହସନ ମେହମୁଦ ୫୮ ରନ ଦେଇ ୪ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ଏହା ପୂର୍ବରୁ ଟସ୍ ହାରି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା ବାଂଲାଦେଶ।
ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଆରମ୍ଭ ନୈରାଶ୍ୟଜନକ ତିଲା. ବିଶେଷ କରି ହସନ ମେହମୁଦ ଘାତକ ବୋଲିଂ ର ମୁକାବିଲା କରିପାରି ନ ଥିଲେ ଭାରତର ଟପ୍ ଅର୍ଡର ବ୍ୟାଟର। ଅଧିନାୟ ରୋହିତ ଶର୍ମା(୬)ଙ୍କୁ ହସନ ଆଉଟ୍ କରି ବାଂଲାଦେଶକୁ ପ୍ରଥମ ସଫଳତା ଦେଇଥିଲେ। ଶୁଭମନ ଗିଲ୍ ଖାତା ଖୋଲିପାରି ନଥିଲେ। ତାରକା ବ୍ୟାଟର ବିରାଟ କୋହଲି(୬) ହସନଙ୍କ ଶିକାର ହୋଇଥିଲେ। ୩୪ ରନରେ ୩ ଓ୍ଵିକେଟ୍ ହରାଇ ଭାରତ ନିରାଶଜନକ ଆରମ୍ଭ କରିଥିଲା। ଓପନର ଯଶସ୍ଵୀ ଜୟସ୍ଵାଲ ଓ ଋଷଭ ପନ୍ତ ଆକ୍ରମଣାତ୍ମକ କ୍ରିକେଟ୍ ଖେଳି ଦଳର ସ୍ଥିତି ସୁଧାରିଥିଲେ। ଦୁଇ ବ୍ୟାଟର ୬୨ ରନ ଯୋଡ଼ି ଦଳର ସ୍କୋରକୁ ୧୦୦ ନିକଟତର କରାଇଥିଲେ। ଏହି କ୍ରମରେ ଜୟସ୍ଵାଲ ଟେଷ୍ଟ କ୍ୟାରିୟରରେ ଚତୁର୍ଥ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ଯୋଡ଼ି ଜମି ଆସୁଥିବା ବେଳେ ପନ୍ତଙ୍କୁ ଆଉଟ୍ କରିଥିଲେ ହସନ ମେହମୁଦ। ପନ୍ତ ୫୨ ବଲରୁ ୬ ଚୌକା ସହ ୩୯ ରନ କରିଥିଲେ। କ୍ରିଜରେ ଜମି ରହିଥିବା ଜୟସ୍ଵାଲ ୫୬ ରନ କରି ଆଉଟ୍ ହେବା ଭାରତକୁ ବଡ଼ ଝଟକା ଲାଗିତିଲା। ଏହିପରି ୧୪୪ ରନରେ ୬ ଓ୍ଵିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା ଭାରତ।
ଏହି ସମୟରେ ଦଳର ବ୍ୟାଟିଂ ଭାର ସମ୍ଭାଳିଥିଲେ ଅଭିଜ୍ଞ ରବିଚନ୍ଦ୍ରନ ଅଶ୍ଵିନ ଓ ରବୀନ୍ଦ୍ର ଜାଡ଼େଜ। ଦୁଇ ବ୍ୟାଟର ଧୈର୍ଯ୍ୟର ସହ ବ୍ୟାଟିଂ କରି ପ୍ରତିପକ୍ଷ ବୋଲରଙ୍କ ଉଚିତ୍ ମୁକାବିଲା କରିଥିଲେ। ଉଭୟ ଦ୍ରୁତ ଗତିରେ ରନ ସଂଗ୍ରହ କରି ଚାଲିଥିଲେ। ବିଶେଷ କରି ରବିଚନ୍ଦ୍ରନ ଅଶ୍ଵିନ ଆକ୍ରମଣାତ୍ମକ ବ୍ୟାଟିଂ କରି ନିଜ ଟେଷ୍ଟ କ୍ୟାରିୟରର ପଞ୍ଚମ ଶତକ ହାସଲ କରିଥିଲେ। ତାଙ୍କୁ ଉଚିତ୍ ସହାୟତା ଦେଇ ରନୀନ୍ଦ୍ର ଜାଡ଼େଜା ଚମତ୍କାର ଅର୍ଦ୍ଧଶତକ ହାସଲ କରିଛନ୍ତି। ଦୁଇ ବ୍ୟାଟର ଅବିଭାଜିତ ସପ୍ତମ ଓ୍ଵିକେଟ୍ ପାଇଁ ୧୯୫ ରନ ଭାଗିଦାରୀ କରି ଦଳର ସ୍କୋରକୁ ୩୦୦ ପାର କରି ସାରିଛନ୍ତି।। ଅଶ୍ଵିନ ୧୦୨ ଏବଂ ଜାଡ଼େଜା ୮୬ ରନ କରି ଅପରାଜିତ ଅଛନ୍ତି। ଏହିପରି ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୬ ଓ୍ଵିକେଟ୍ ହରାଇ ୩୩୯ ରନ କରିଛି। ଏକଦା ୧୪୪ ରନ କରି ୬ ଓ୍ଵିକେଟ୍ ହରାଇଥିଲା ଭାରତ।
ବାଂଲାଦେଶ ପକ୍ଷରୁ ହସନ ମେହମୁଦ ୫୮ ରନ ଦେଇ ୪ଟି ଓ୍ଵିକେଟ୍ ଅକ୍ତିକାର କରିଥିଲେ। ନାହିଦ ରାଣା ଓ ମେହିଦି ହସନ ମିର୍ଜା ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି।