ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କୁ ପାଖାପାଖି ୪୦୯ ଦିନର ଲମ୍ବା ଅପେକ୍ଷାର ଅନ୍ତ ଘଟୁଛି । ଭାରତୀୟ କ୍ରିକେଟ୍ ଦଳ ସେପ୍ଟେମ୍ବର ୧୯ରୁ ବାଂଲାଦେଶ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିବାକୁ ମଇଦାନକୁ ଓହ୍ଲାଇବ । ଏହି ମୁକାବିଲା ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍ ପାଇଁ ୧୬ ଜଣିଆ ଭାରତୀୟ ଦଳ ଘୋଷଣା ହୋଇ ସାରିଛି । ତେବେ ମ୍ୟାଚରେ କେଉଁ ୧୧ ଖେଳାଳିଙ୍କୁ ସ୍ଥାନ ମିଳିବ, ତାକୁ ନେଇ ବଡ ପ୍ରଶ୍ନ ରହିଛି । ୪୦ ଦିନର ବିଶ୍ରାମ ପରେ ପୁରା ଦଳ ସତେଜ ହୋଇ ପଡିଆକୁ ଫେରୁଛି । ତେଣୁ କୌଣସି ଖେଳାଳି ଉପରେ କାର୍ଯ୍ୟଚାପ ନ ଥିବ । ସେପଟେ ବାଂଲାଦେଶ ପାକିସ୍ତାନକୁ ତାରି ମାଟିରେ ୨-୦ରେ କ୍ଲିନ ସୁଇପ କରି ଦୃଢ ମନୋବଳ ସ୍ଥିତିରେ ରହିଛି । ତେଣୁ ଭାରତ ଟେଷ୍ଟ ସିରିଜରେ ଉଚିତ୍ ୧୧ ଖେଳାଳିଙ୍କୁ ନେଇ ମଇଦାନକୁ ଓହ୍ଲାଇବ ।
ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଦଳର ବ୍ୟାଟିଂ କ୍ରମ ସ୍ଥିର ରହିଛି । ରୋହିତ ଶର୍ମାଙ୍କ ସହ ଇନିଂସ ଓପନ କରିବେ ଯଶସ୍ୱୀ ଜୟସ୍ୱାଲ । ନମ୍ବର ୩ରେ ଶୁଭମନ ଗିଲ୍ ଏବଂ ମଧ୍ୟକ୍ରମରେ ବ୍ୟାଟିଂ ଭାର ସମ୍ଭାଳିବେ ବିରାଟ କୋହଲି ଓ କେଏଲ ରାହୁଲ ।
ହେଲେ ରୋହିତ ଶର୍ମାଙ୍କୁ ୱିକେଟ୍ କିପର ବ୍ୟାଟର ଭାବେ କାହାକୁ ଚୟନ କରିବେ ତାକୁ ନେଇ କିଛିଟା ଦ୍ୱନ୍ଦ୍ୱ ରହିଛି । ଧ୍ରୁବ ଜୁରେଲ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ । କିନ୍ତୁ ଏବେ କାର ଦୁର୍ଘଟଣା ପରେ ୱିକେଟ୍ କିପର ଋଷଭ ପନ୍ତ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ତେଣୁ ଦେଖିବାକୁ ବାକି ରହିଲା ରୋହିତ ଶର୍ମା ଓ ଦଳ ପ୍ରବନ୍ଧକ କାହାକୁ ଚୂଡାନ୍ତ ଏକାଦଶରେ ସୁଯୋଗ ଦେଉଛନ୍ତି ।
ଏହା ବ୍ୟତୀତ ଅକ୍ଷର ପଟେଲ୍ ଓ କୁଲଦୀପ ଯାଦବଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରିବା ସମୟରେ ରୋହିତ ଶର୍ମାଙ୍କୁ ସମସ୍ୟା ହୋଇପାରେ । ଆର ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ଖେଳିବା ନିଶ୍ଚିତ । ତେବେ ତୃତୀୟ ସ୍ପିନର ଭାବେ ଅଧିନାୟକ କାହାକୁ ସୁଯୋଗ ଦେବେ ତାହା ଦେଖିବାକୁ ବାକି ରହିଲା ।
ଦ୍ରୁତ ବୋଲର ହିସାବରେ ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜଙ୍କୁ ଆକ୍ସନ ମୋଡରେ ଦେଖିବାକୁ ମିଳିପାରେ । ଏମିତି ସ୍ଥିତିରେ ୟଶ ଦୟାଲ ଓ ଆକାଶ ଦୀପଙ୍କୁ ବେଞ୍ଚରେ ବସିବାକୁ ପଡିବ ।
ପ୍ରଥମ ଟେଷ୍ଟ ପାଇଁ ସମ୍ଭାବିତ ଏକାଦଶ
ରୋହିତ ଶର୍ମା, ଯଶସ୍ୱୀ ଜୟସ୍ୱାଲ, ଶୁଭମନ ଗିଲ୍, ବିରାଟ କୋହଲି, କେଏଲ ରାହୁଲ, ଋଷଭ ପନ୍ତ/ଧ୍ରୁବ ଜୁରେଲ, ରବୀନ୍ଦ୍ର ଜାଡେଜା, ଆର ଅଶ୍ୱିନ, ଅକ୍ଷର ପଟେଲ/କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ।