ଭୁବନେଶ୍ୱର: ଦିନରେ ପାଟିରେ ତୂଳୀ ଧରି ଆଙ୍କୁଥିଲେ ସୁନ୍ଦର କଳାକୃତି, ଆଉ ଏବେ ତୀର ଧରି ହୋଇଛନ୍ତି ବିଜୟୀନି । ଜାତୀୟ ତୀରନ୍ଦାଜୀ ପ୍ରତିଯୋଗିତାରେ ଚମକିଛନ୍ତି ଓଡ଼ିଆ ଝିଅ ପାୟଲ ନାଗ (୧୭) । ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ହୋଇଥିବା ଷଷ୍ଠ ଜାତୀୟ ତୀରନ୍ଦାଜୀ ପ୍ରତିଯୋଗିତାରେ ବଲାଙ୍ଗିର ଝିଅ ପାୟଲ ନାଗ ପ୍ରଥମ ସ୍ଥାନ ହାସଲ କରି ୨ଟି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି । ଦେଶର ବିଭିନ୍ନ ରାଜ୍ୟରୁ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କୁ ପଛରେ ପକାଇ ସେ ବଲାଙ୍ଗିର ଜିଲ୍ଲା ତଥା ଓଡ଼ିଶା ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି । ଏକଦା ପାଟିରେ ତୂଳୀ ଧରି ଚର୍ଚ୍ଚାର ପରିସରକୁ ଆସିଥିବା ପାୟଲ ନାଗ ଆଜି ସାରା ଦେଶରେ ସୁନାମ ଅର୍ଜନ କରିଛନ୍ତି। ସେ ପାରା ଅଲମ୍ପିକ ବିଜେତା ଶୀତଲ ଦେବୀଙ୍କୁ ହରାଇ ଦୁଇ ଦୁଇଟି ସ୍ୱର୍ଣ୍ଣ ହାସଲ କରିଛନ୍ତି ।
ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ଯମୁନାବାହାଲ ଗ୍ରାମର ଜନତା ନାଗ ଓ ବିଜୟ ନାଗଙ୍କ ଝିଅ ପାୟଲ ନାଗ । ମାତ୍ର ୫ ବର୍ଷ ବୟସର ହୋଇଥିବା ବେଳେ ବାପା ମା ଙ୍କ ସହିତ ରାୟପୁର କୁ ଦାଦନ ଖଟିବାକୁ ଯାଇଥିଲେ। ଏହି ସମୟରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତାଙ୍କର ଦୁଇଟି ଗୋଡ଼ ଓ ଦୁଇଟି ହାତ ହରାଇଥିଲେ । ବଲାଙ୍ଗିର ପଥରଚେପା ସ୍ଥିତ ପାର୍ବତୀ ଗିରି ବାଲ ନିକେତନରେ ରହି ପାଠ ପଢ଼ୁଥିଲେ । ଏହି ସମୟରେ ସେ ପାଟିରେ ତୂଳୀ ଧରି ଚିତ୍ର ଆଙ୍କୁ ଥିବାବେଳେ ତାଙ୍କର କୃତ୍ରିମ ହାତ ଓ ଗୋଡ଼ ଖଞ୍ଜ।ଯାଇଥିଲା ।
ଏହା ପରେ ସେ ପାରା ଅଲମ୍ପିକ ବିଜେତା ଶୀତଲ ଦେବୀଙ୍କୁ ଦେଖି ପ୍ରେରିତ ହୋଇଥିଲେ । ଧନୁ ତୀର ଚାଳନା ଶିଖିବାକୁ ତାଙ୍କୁ ଜମ୍ମୁ କାଶ୍ମୀର ପଠା ଯାଇଥିଲା । ସେଠାରେ ସେ ତୀରନ୍ଦାଜୀ ଅଭ୍ୟାସ କରୁଥିବା ବେଳେ ବଲାଙ୍ଗିର ଜିଲ୍ଲା ପାଇଁ ଏକ ଭଲ ଖବର ଆସିଛି । ପାୟଲ ଜାତୀୟ ତୀରନ୍ଦାଜୀ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ହାସଲ କରି ସ୍ଵର୍ଣ୍ଣ ପଦକ ଆଣିଛନ୍ତି । ସେ ଶୀତଲ ଦେବୀଙ୍କୁ ପରାସ୍ତ କରି ଏହି ବିଜୟ ହାସଲ କରିଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ବଲାଙ୍ଗିର ଜିଲ୍ଲାରେ ଖୁସିର ମାହୋଲ ଖେଳିଯାଇଛି । ଆଗାମୀ ଦିନରେ ପାୟଲ ଆନ୍ତର୍ଜାତୀୟ ପ୍ରତିଯୋଗିତା ରେ ଭାଗ ନେଇ ବଲାଙ୍ଗିର ପାଇଁ ସୁନାମ ଆଣିବେ ବୋଲି ସମସ୍ତେ ଆଶା ପ୍ରକାଶ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପାୟଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ୍ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରି ଶୁଭକାମନା ଜଣାଇଛନ୍ତି । ପାୟଲଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ।