ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫୀ ପୂର୍ବରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ସୀମିତ ଓଭର କ୍ରିକେଟ୍ ଖେଳାଯିବ । ପ୍ରଥମେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଓ ତିନି ମ୍ୟାଚର ଦିନିକିଆ ସିରିଜ୍ ଖେଳାଯିବ । ଜାନୁଆରୀ ୨୨ରୁ ଟି-୨୦ ସିରିଜ୍ ଆରମ୍ଭ ହେବ । ତେବେ ଏହା ପୂର୍ବରୁ ଭାରତୀୟ ଦଳ ପାଇଁ ଆସିଛି ନିରାଶଜନକ ଖବର । ଘଣ୍ଟା ପ୍ରତି ୧୫୦ରୁ ଅଧିକ କିମି ବେଗରେ ବୋଲିଂ କରୁଥିବା ଉଦୀୟମାନ ଦ୍ରୁତ ବୋଲର ମୟଙ୍କ ଯାଦବ ଏ ପର୍ଯ୍ୟନ୍ତ ଫିଟ୍ ହୋଇ ନାହାନ୍ତି । ପିଠିରେ ଆଘାତଜନିତ ସମସ୍ୟା କାରଣରୁ ସେ ଦୀର୍ଘ ଦିନ ହେବ କ୍ରିକେଟରୁ ଦୂରେଇ ରହିଛନ୍ତି ।
ଉୟଙ୍କ ଗତ ବର୍ଷ ଆହତ ହୋଇଥିଲେ । ସାଂପ୍ରତିକ ସ୍ଥିତି ଦେଖିଲେ ତାଙ୍କୁ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ସ୍ଥାନ ମିଳିବା ଅସମ୍ଭବ ଲାଗୁଛି । ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ମୟଙ୍କ ଯାଦବଙ୍କ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ଖେଳିବାର ସମ୍ଭାବନା କ୍ଷୀଣ ଲାଗୁଛି । ଏପରିକି ଜାନୁଆରୀ ୨୩ରୁ ଆରମ୍ଭ ହେଉଥିବା ରଣଜୀ ଟ୍ରଫିର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଦିଲ୍ଲୀର ସମ୍ଭାବିତ ଦଳରେ ଏହି ଦ୍ରୁତ ବୋଲରଙ୍କୁ ସାମିଲ କରାଯାଇ ନାହିଁ । ଏମିତିରେ ଭାରତୀୟ ଦଳକୁ ତାଙ୍କର ପ୍ରତ୍ୟାବର୍ତ୍ତନ ମୁସ୍କିଲ ଲାଗୁଛି ।
ସୂଚନାଯୋଗ୍ୟ, ଆଇପିଏଲ୍ ୨୦୨୪ରେ ଲଖନଉ ସୁପର ଜାଏଣ୍ଟଓ ପାଇଁ ଖେଳୁଥିବା ମୟଙ୍କ ଯାଦବ ଟୁର୍ଣ୍ଣାମେଣ୍ଟ ଅଧାରୁ ବାଦ୍ ପଡିଥିଲେ । ପୁଣି ଅକ୍ଟୋବରରେ ବାଂଲାଦେଶ ବିପକ୍ଷ ତିନି ମ୍ୟାଚର ଟି-୨୦ ସିରିଜରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ତିନି ମ୍ୟାଚରେ ସେ ୪ ସଫଳତା ପାଇଥିଲେ । କିନ୍ତୁ ସିରିଜରେ ମୟଙ୍କ ଯାଦବ ପୁଣି ଥରେ ଆହତ ହୋଇଥିଲେ । ଏପରିକି ସେ ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଓ ବିଜୟ ହଜାରେ ଟ୍ରଫି ଖେଳି ପାରି ନ ଥିଲେ । ତେବେ ଦେଖିବା ବାକି ରହିଲା ଏହି ଦ୍ରୁତ ବୋଲର କେବେ ପଡିଆକୁ ଫେରୁଛନ୍ତି ।