ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚର ଦିିନିକିଆ ସିରିଜ୍ ଓ ଚାମ୍ପିଅନ୍ସ ଟ୍ରଫି ପାଇଁ ଖୁବ୍ ଶୀଘ୍ର ଦଳ ଘୋଷଣା ହେବାକୁ ଯାଉଛି । ଏଥିରେ ଯେଉଁ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିବାର ସମ୍ଭାବନା ରହିଛି ସେଥିରେ ଯଶସ୍ୱୀ ଜୟସ୍ୱାଲ, ୱାଶିଂଟନ ସୁନ୍ଦର ଓ ଅର୍ଶଦୀପ ସିଂଙ୍କ ନାମ ସାମିଲ । ଅର୍ଶଦୀପ ସଂପ୍ରତି ଟି-୨୦ ଦଳର ପ୍ରମୁଖ ସଦସ୍ୟ । କିନ୍ତୁ ଏବେ ତାଙ୍କୁ ଦିନିକିଆ ଦଳରେ ସ୍ଥାନ ମିଳିବ ବୋଲି ଆଶା କରାଯାଉଛି । ଅଫ ସ୍ପିନର ଭାବେ ୱାଶିଂଟନ ସୁନ୍ଦର ପ୍ରବଳ ଦାବିଦାର ଅଛନ୍ତି । ଆଉ ବ୍ୟାକଅପ୍ ଓପନର ଭାବେ ଜୟସ୍ୱାଲଙ୍କୁ ଦିନିକିଆ ସିରିଜ୍ ପାଇଁ ଦଳରେ ସାମିଲ କରାଯାଇପାରେ ।
ସେହିପରି ଏହି ତିନି ଖେଳାଳିଙ୍କୁ ଚାମ୍ପିଅନ୍ସ ଟ୍ରଫି ପାଇଁ ମଧ୍ୟ ଦଳରେ ଚୟନ କରାଯିବାର ସମ୍ଭାବନା ରହିଛି । ଯଦି ଏହି ତିନି ଖେଳାଳି ଇଂଲଣ୍ଡ ବିପକ୍ଷ ସିରିଜରେ ଭଲ ପ୍ରଦର୍ଶନ କରନ୍ତି ତେବେ ଚାମ୍ପିଅନ୍ସ ଟ୍ରଫିର ଚୂଡାନ୍ତ ଏକାଦଶରେ ମଧ୍ୟ ସୁଯୋଗ ମିଳିପାରେ । ଏହା ବ୍ୟତୀତ ଅନୁଭବୀ ଦ୍ରୁତ ବୋଲର ମହମ୍ମଦ ଶାମି ମଧ୍ୟ ଇଂଲଣ୍ଡ ବିପକ୍ଷ ସିରିଜ୍ ଖେଳି ପାରନ୍ତି । କ୍ରିକବଜ ଅନୁଯାୟୀ, ଶାମିଙ୍କୁ ଶୀଘ୍ର ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀରୁ ଫିଟନେସ୍ ସାର୍ଟିଫିକେଟ୍ ମିଳିପାରେ ।
ନିକଟରେ ଶାମି ରଣଜୀ ଟ୍ରଫି ଓ ବିଜୟ ହଜାରେ ଟ୍ରଫିରେ ଭଲ ପ୍ରଦର୍ଶନ କରି ନିଜର ଫିଟନେସ୍ ପ୍ରମାଣିତ କରିଥିଲେ । ତେଣୁ ତାଙ୍କୁ ଏବେ ଦଳରେ ସାମିଲ କରାଯିବାର ସମୟ ଆସି ଯାଇଛି । ଅନ୍ୟପଟେ ଯୁବ ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀଙ୍କୁ ଦିନିିକିଆ ଦଳରେ ସାମିଲ କରାଯାଇ ନ ପାରେ । କିନ୍ତୁ ତାଙ୍କୁ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ଦଳରେ ଚୟନ କରାଯାଇପାରେ । ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଫେବୃଆରୀ ୬, ଦ୍ୱିତୀୟ ଦିନିକିଆ ୯ ଓ ତୃତୀୟ ଦିନିକିଆ ୧୨ରେ ଖେଳାଯିବ ।