ପ୍ରୟାଗରାଜ: ଉତ୍ତର ପ୍ରଦେଶ ୧୪୪ ବର୍ଷ ପରେ ଆସିଥିବା ଅମୃତ ବେଳାରେ ଚାଲିଛି ମହାକୁମ୍ଭ ମେଳା । ପ୍ରଥମ ଦିନରେ ପୌଷ ପୂର୍ଣ୍ଣିମା ଅବସରରେ ପ୍ରାୟ ୧.୫ କୋଟି ଶ୍ରଦ୍ଧାଳୁ ପୂଣ୍ୟ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଥିଲେ । ତେବେ ଦ୍ୱିତୀୟ ଦିନ ପ୍ରଥମ ଦିନରେ ରେକର୍ଡ ଭାଙ୍ଗିଛି । ଘନ କୁହୁଡ଼ି ଓ ଭୀଷଣ ଥଣ୍ଡା ସତ୍ୱେ ମକର ସଂକ୍ରାନ୍ତି ଉପଲକ୍ଷେ ୩.୫ କୋଟି ଶ୍ରଦ୍ଧାଳୁ ମହାକୁମ୍ଭରେ ବୁଡ଼ ପକାଇଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ମହାକୁମ୍ଭର ପ୍ରଥମ ଅମୃତ ସ୍ନାନ ଉତ୍ସବ ଅର୍ଥାତ ମକର ସଂକ୍ରାନ୍ତି ପରେ ମେଳା ପ୍ରଶାସନ ଏବେ ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ବୈଠକ ଉପରେ ଧ୍ୟାନ ଦେବ । ବୁଧବାର ଏ ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମଧ୍ୟ ବସିବାର କାର୍ଯ୍ୟକ୍ରମ ରହିଛି । ଜାନୁଆରୀ ୨୧ ତାରିଖରେ କ୍ୟାବିନେଟ୍ ବୈଠକ ପ୍ରସ୍ତାବିତ, ଯେଉଁଥିରେ ଦାରାଗଞ୍ଜରୁ ହେଟାପଟ୍ଟି ଏବଂ କରେଲିରୁ ଘୁରପୁର ନିକଟ ପର୍ୟ୍ୟନ୍ତ ଗଙ୍ଗା ନଦୀ ଉପରେ ସେତୁ ଏବଂ ସଙ୍ଗମରେ ରୋପୱେ ନିର୍ମାଣକୁ ଅନୁମୋଦନ ଦିଆଯିବ ବୋଲି ଆଶା କରାଯାଉଛି । ଆଜିର ବୈଠକ ସମାପ୍ତ ହେବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ପୁରା କ୍ୟାବିନେଟ୍ ଟିମ୍ ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବାର କାର୍ୟ୍ୟକ୍ରମ ରହିଛି ।
ଏହା ସହିତ, ମହାକୁମ୍ଭର ମୁଖ୍ୟ ଅମୃତ ସ୍ନାନ ଉତ୍ସବ ତ୍ରିବେଣୀ ଅମାବାସ୍ୟାର ଆୟୋଜନ ପାଇଁ ପ୍ରସ୍ତୁତି ମଧ୍ୟ ଜୋରଦାର କରାଯିବ । ଏହା ଜାନୁଆରୀ ୨୯ ତାରିଖରେ ଅନୁଷ୍ଠିତ ହେବ । ଏହି ସ୍ନାନ ଉତ୍ସବରେ ସର୍ବାଧିକ ୭ରୁ ୮ କୋଟି ଭକ୍ତଙ୍କ ସମାଗମ ହେବ ବୋଲି ଆକଳନ ସ୍ନାନ କରିବେ ବୋଲି ଆକଳନ କରାଯାଇଛି । ଏଥିପାଇଁ ଜାନୁଆରୀ ୨୭ ତାରିଖରୁ ମେଳା ଅଞ୍ଚଳରେ ଯାନବାହାନ ଚଳାଚଳ ନିଷେଧ କରାଯିବ । ରୁଟ୍ ଡାଇଭର୍ସନ କରାଯିବ । ଏଥିପାଇଁ ଆସନ୍ତା ସପ୍ତାହରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ପୋଲିସ ଏବଂ ପ୍ରଶାସନ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ।