ଉତ୍ତରପ୍ରଦେଶ: ଗଭୀର ଆସ୍ଥା, ବିସ୍ତୃତ ଭକ୍ତି, ଆଉ ମୋକ୍ଷ ପ୍ରାପ୍ତିର ବିଶ୍ବାସ ପାଇଁ ଜନସମୁଦ୍ର ପାଲଟିଛି ତୀର୍ଥରାଜ ପ୍ରୟାଗ । ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ପ୍ରୟାଗରାଜରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି । ଦିତ୍ୱୀୟ ଦିନରେ ଅମୃତ ସ୍ନାନ କରିଛନ୍ତି ବିଭିନ୍ନ ଆଖାଡାରେ ରହୁଥିବା ନାଗା ସାଧୁଙ୍କ ସମେତ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଭୋର ୫ଟାରୁ ବିଭିନ୍ନ ଆଖଡ଼ାର ସାଧୁସନ୍ଥଙ୍କ ସହ ଶ୍ରଦ୍ଧାଳୁଙ୍କ ସ୍ନାନ ଆରମ୍ଭ ହୋଇଛି। ଦିନ ଯେତେ ଯେତେ ବିତୁଛି, ଧିରେ ଧିରେ ବୁଡ଼ ପକାଉଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ବି ବଢିବାରେ ଲାଗିଛି ।
ଆଜି ଦିତ୍ୱୀୟ ଦିନରେ ମକର ସଂକ୍ରନ୍ତି ଅବସରରେ ଅମୃତ ସ୍ନାନ କରିଛନ୍ତି ନାଗା ସାଧୁ । ହାତରେ ଖଣ୍ଡା, ତ୍ରୀଶୁଳ, ଡମ୍ବରୁ ଧରି ଶୋଭାଯାତ୍ରାରେ ଆସି କୁମ୍ଭରେ ପହଞ୍ଚିଛନ୍ତି ନାଗା ସାଧୁ । ହର ହର ମହାଦେବ ନାରା ସହ ଶୋଭାଯାତ୍ରାରେ ଆସି ପହଞ୍ଚି ୨ ହଜାରରୁ ଅଧିକ ନାଗା ସାଧୁ ଅମୃତସ୍ନାନ କରିଛନ୍ତି । ପ୍ରଥମେ ପଞ୍ଚୟତି ନିର୍ବାଣୀ ଆଖଡ଼ାର ସନ୍ଥମାନେ ବୁଡ଼ ପକାଇଥିଲେ। ଭୋର ୫ଟାରେ ଏମାନେ ସମସ୍ତେ ବୁଡ଼ ପକାଇଛନ୍ତି । ତା’ପରେ ଅନ୍ୟ ଆଖଡ଼ା ଓ ଶ୍ରଦ୍ଧାଳୁଙ୍କୁ ସ୍ନାନ ଅନୁମତି ମିଳିଛି।
ତେବେ ବ୍ରାହ୍ମ ମୂହୂର୍ତ୍ତରୁ ସକାଳ ସାଢେ ୮ଟା ସୁଦ୍ଧା ୧ କୋଟିରୁ ଅଧିକ ଶ୍ରଦ୍ଧାଳୁ ସଙ୍ଗମତଟରେ ବୁଡ଼ ପକାଇଛନ୍ତି । ନିରଞ୍ଜନୀ ଆଖଡ଼ା, ଅଟଳ ଆଖଡ଼ା, ମହାନିର୍ବାଣୀ ଆଖଡ଼ା, ଓ ଆନନ୍ଦ ଆଖଡ଼ା ପକ୍ଷରୁ ପବିତ୍ର ବୁଡ଼ ପକାଯାଇଛି ।
ଏହି ମହାକୁମ୍ଭ ୧୨ ବର୍ଷ ପରେ ଆୟୋଜିତ ହେଉଛି, ହେଲେ ଏହାକୁ ନେଇ ସନ୍ଥ ମାନେ କୁହନ୍ତି, ଏଥର ୧୪୪ ବର୍ଷ ପରେ ମହାକୁମ୍ଭ ପଡିଛି, ଯାହା ସମଗ୍ର ବିଶ୍ୱ ପାଇଁ ଏକ ଦୁଲର୍ଭ ମୁହୂର୍ତ ପାଲଟିଛି । ଜାନୁୟାରୀ ୧୩ରୁ ଆରମ୍ଭ ହୋଇଥିବା ଏହି ବିଶ୍ୱପ୍ରସିଦ୍ଧ ମେଳା ଫେବୃୟାରୀ ୨୬ ଯାଏଁ ଦୀର୍ଘ ୪୫ ଦିନ ଧରି ଚାଲିବ । ଏଥିପାଇଁ ବିଦେଶରୁ ୧୫ ଲକ୍ଷରୁ ଅଧିକ ବିଦେଶୀ ଭକ୍ତ ଆସିଛନ୍ତି । ଏସିଆ ମହାଦେଶ ସମେତ ଆମେରିକା, ୟୁରୋପ ଓ ଆଫ୍ରିକା ମହାଦେଶର ୨୦ଟି ଦେଶରୁ ମଧ୍ୟ ଶ୍ରଦ୍ଧାଳୁମାନେ ସଙ୍ଗମସ୍ଥଳକୁ ଆସିଛନ୍ତି।