ନୂଆଦିଲ୍ଲୀ: ଦିଲ୍ଲୀରେ ଘରୋଇ ବିଦ୍ୟାଳୟକୁ ଆସୁଥିବା ବୋମା ଧମକରେ ତଦନ୍ତ କରୁଥିବା ପୋଲିସ ଏକ ବଡ଼ ଖୁଲାସା କରିଛି । ବିଭିନ୍ନ ସମୟରେ ଛାତ୍ରମାନେ ଧମକ ପୂର୍ଣ୍ଣ ଇ-ମେଲ ପଠାଉଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା । ସେମାନଙ୍କୁ ଅଟକ ରଖି ପରିବାର ଲୋକଙ୍କୁ ସତର୍କ କରାଇ ପରେ ଛଡ଼ା ଯାଇଥିଲା । କିନ୍ତୁ ଏହି ଛାତ୍ରମାନଙ୍କ ପଛରେ କେହି ବଡ଼ ସଂଗଠନର ହାତ ଥିବା ନେଇ ପୋଲିସ ସନ୍ଦେହ କରୁଛି । ମୃତ ଆତଙ୍କବାଦୀ ଅଫଜଲ ଗୁରୁ ସହିତ ଜଡ଼ିତ ଏନଜିଓର ଏଥିରେ ଭୂମିକା ଥିବା ଅନୁମାନ କରିଛି ପୋଲିସ ।
ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ପୋଲିସ କମିଶନର ମଧୁପ ତିୱାରୀଙ୍କ କହିବା ଅନୁସାରେ, ଗତବର୍ଷ ଫେବୃଆରୀ ମାସରୁ ଏ ଯାଏଁ ପ୍ରାୟ ୪୦୦ ଧମକପୂର୍ଣ୍ଣ ଇ-ମେଲ୍ ଆସିଛି । ଯେଉଁଥିରେ ବିଦ୍ୟାଳୟ ଗୁଡିକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଥିଲା । ଫଳରେ ବାରମ୍ବାର ପରୀକ୍ଷା ସ୍ଥଗିତ ରହିବା ଏବଂ ସ୍କୁଲ ବନ୍ଦ ହେବା ଭଳି ସମସ୍ୟା ଉତ୍ପନ୍ନ ହେଉଥିଲା । ତେବେ ଏଥିରେ ସମ୍ପୃକ୍ତି ଥିବା ଛାତ୍ରଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଛି । ସମ୍ପୃକ୍ତ ଛାତ୍ର ପରିବାର ଲୋକଙ୍କ ଇ-ମେଲ୍ ମଧ୍ୟ ଯାଞ୍ଚ କରାଯାଇଛି । ତେବେ ପୋଲିସ ଜାଣିବାକୁ ପାଇଛି ଯେ ଇ-ମେଲରେ ଯେଉଁ ଟେକ୍ନୋଲୋଜି ବ୍ୟବହାର ହେଉଛି ତାହା କେବଳ ଏକ ଛାତ୍ରର କାମ ହୋଇ ନ ପାରେ । ସେହିପରି ଛାତ୍ରମାନେ ଯେଉଁ ଟେକ୍ନିକାଲ ଶବ୍ଦ ବ୍ୟବହାର କରୁଛନ୍ତି ତାହା ମଧ୍ୟ ଅତି ଜଟିଳ ଅଟେ । ଏହି ବୋମା ଧମକ କେବଳ ଛାତ୍ରଙ୍କ ମଧ୍ୟରେ ସୀମିତ ନୁହେଁ ।
ଚଳିତ ମାସ 8 ତାରିଖରେ ଇ-ମେଲ ପଠାଇଥିଲା ଛାତ୍ରକୁ ପୋଲିସ ଅଟକ ରଖିଥିଲା । ସେହି ଛାତ୍ରର ଲ୍ୟାପଟପକୁ ଫରେନସିକ୍ ଲ୍ୟାବକୁ ପରୀକ୍ଷା ପାଇଁ ପଠାଯାଇଥିଲା । ଆଉ ସେଥିରୁ ଯେଉଁ ତଥ୍ୟ ମିଳିଛି ତାହା ସମସ୍ତଙ୍କ ନିଦ ହଜାଇ ଦେଇଛି । ଉକ୍ତ ଛାତ୍ରର ମେଲ ଆଇଡିରୁ ୪୦୦ ଅଧିକ ଇମେଲ୍ ପଠାଯାଇଛି ।
ତେବେ ପରବର୍ତ୍ତୀ ଯାଞ୍ଚରେ ଜଣା ପଡ଼ିଥିଲା ଯେ ସେହି ଛାତ୍ରର ପରିବାର ଏକ ଏନଜିଓ ସହି ଜଡ଼ିତ ରହିଛି । ଆଉ ସେହି ଏନଜିଓ ଏକ ରାଜନୈତିକ ଦଳ ପାଇଁ କାମ କରୁଛି । ଆଉ ସେହି ଏନଜିଓ ଆତଙ୍କବାଦୀ ଅଫଜଲ ଗୁରୁର ପାଇଁ କାମ କରୁଥିଲା । ମାମଲାର ଯାଞ୍ଚରେ ସେହି ରାଜନୈତିକ ଦଳ ଓ ଏନଜିଓକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।