ନୂଆଦିଲ୍ଲୀ: ପ୍ରତିବର୍ଷ ଜାନୁଆରୀ ୧୫ ତାରିଖରେ ଜାତୀୟ ସେନା ଦିବସ ପାଳନ କରାଯାଏ । ଭାରତର ଗର୍ବ, ବଳ, ଦମ୍ଭ ହେଉଛି ଭାରତୀୟ ସେନା । ସେ ଯୁଦ୍ଧ ହେଉ, ଦେଶରେ ଏକ ବଡ଼ ଦୁଃଖଦ ଘଟଣା ପରେ ଉଦ୍ଧାର କାର୍ଯ୍ୟ ହେଉ କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ଅସହାୟ ଲୋକଙ୍କୁ ସାହାଯ୍ୟ ଯୋଗାଇବା ହେଉ ସବୁ କାର୍ଯ୍ୟରେ ଆଗଭର ଭାରତୀୟ ସେନା । ସର୍ବଦା ଦେଶର ରକ୍ଷା ପାଇଁ ପ୍ରତିବଦ୍ଧ । ଦେଶପାଇଁ ବଳିଦାନ ଦେବାକୁ ସର୍ବଦା ପ୍ରସ୍ତୁତ।
ଭାରତୀୟ ସେନାର ପରାକାଷ୍ଠା ଏବଂ ପରାକ୍ରମର ସମ୍ମାନ ପାଇଂ ପ୍ରତିବର୍ଷ ଜାନୁଆରୀ ୧୫ ତାରିଖକୁ ସ୍ଥଳସେନା ଦିବସ ଭାବେ ପାଳନ କରାଯାଏ । ଆଜି ଦେଶ ପାଳୁଛି ୭୭ତମ ସେନା ଦିବସ । ଆଜିର ଏହି ଗୌରବମୟ ଅବସରରେ ନୂଆଦିଲ୍ଲୀ ତଥା ଦେଶର ବିଭିନ୍ନ ସାମରିକ ମୁଖ୍ୟାଳୟରେ ସାମରିକ ପରେଡ, ସାମରିକ ପ୍ରଦର୍ଶନୀ ଏବଂ ଅନ୍ୟାନ୍ୟ ରଙ୍ଗୀନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏହି ଦିନ ଦେଶର ସେନାର ସାହସିକତା, ବୀରତା ଏବଂ ବଳିଦାନକୁ ସ୍ମରଣ କରାଯାଇଥାଏ । ଭାରତୀୟ ସେନାର ଏକ ପ୍ରମୁଖ ଅଙ୍ଗ ହେଉଛି ସ୍ଥଳ ସେନା ।
ଭାରତୀୟ ସ୍ଥଳସେନା ଦିବସ ପାଳନର ଉଦ୍ଦେଶ୍ୟ :
ବାସ୍ତବରେ, ଯେତେବେଳେ ଆମ ଦେଶ ଭାରତ ବ୍ରିଟିଶରମାନଙ୍କ ଅଧୀନରେ ଥିଲା ସେତେବେଳେ ଭରତୀୟ ସେନା(Indian Army) ଗଠନ ହୋଇଥିଲା। ଏହି ସମୟରେ ଭାରତୀୟ ସେନାର ବହୁ ବଡ ବଡ ପଦରେ ଇଂରେଜମାନେ କାର୍ଯ୍ୟ କରୁଥିଲେ । ତେବେ ଦେଶ ସ୍ବାଧିନତା ହେବା ପରେ ମଧ୍ୟ ଏଥିରେ କୌଣସି ପରିବର୍ତ୍ତନ ହୋଇନଥିଲା ।
୧୯୪୯ ମସିହାରେ ଜେନେରାଲ୍ ଫ୍ରାନ୍ସିସ୍ ବୁଚର ଶେଷ ବ୍ରିଟିଶ କମାଣ୍ଡର ରହିଥିଲେ । ଏହି ସମୟରେ ଭାରତୀୟ ସେନାର ବହୁ ବଡ ବଡ ପଦରେ ଇଂରେଜମାନେ କାର୍ଯ୍ୟ କରୁଥିଲେ। ଏହାପରେ କେ ଏମ କରିୟପ୍ପା ଭାରତର ପ୍ରଥମ ଫିଲ୍ଡ ମାର୍ଶଲ ରହିଥିଲେ । ତାଙ୍କ ପୁରା ନାମ କୋଣ୍ଡଡେରା ମଡପ୍ପା କରିୟପ୍ପା ଥିଲା ।
ଜାନୁଆରୀ ୧୫ ତାରିଖରେ ଏମ କରିୟପ୍ପା ଜେନେରାଲ୍ ଫ୍ରାନ୍ସିସ୍ ବୁଚରଙ୍କ ଠାରୁ ଭାରତୀୟ ସେନାର କମାଣ୍ଡ ନେଇଥିଲେ । ଭାରତୀୟ ସେନା ପାଇଁ ଏହା ଏକ ବିଶେଷ ମୁହୂର୍ତ୍ତ ରହିଥିଲା । ଏହି ଦିନ ଅର୍ଥାତ ଜାନୁଆରୀ ୧୫ ତାରିଖରେ ପ୍ରଥମ ଥର ପାଇଁ ଦେଶର ସେନାର ନେତୃତ୍ବ ଜଣେ ଭାରତୀୟଙ୍କ ହାତକୁ ଆସିଥିଲା । ଏହି କାରଣରୁ ପ୍ରତିବର୍ଷ ଜାନୁଆରୀ ୧୫ ତାରିଖରେ ଜାତୀୟ ସେନା ଦିବସ ପାଳନ କରାଯାଏ । କେଏମ କରିୟପ୍ପା ଭାରତୀୟ ସେନାରୁ ବର୍ଷ ୧୯୫୩ରେ ଅବସର ନେଇଥିଲେ।
୨୦୨୫ର ବିଷୟବସ୍ତୁ କ’ଣ?
୭୭ତମ ସେନା ଦିବସ ପାଳନର ବିଷୟବସ୍ତୁ ହେଉଛି "ସମର୍ଥ ଭାରତ, ସକ୍ଷମ ସେନା" । ଭାରତୀୟ ସେନା ଦିଲ୍ଲୀର କାରିଆପ୍ପା ପରେଡ୍ ଗ୍ରାଉଣ୍ଡରେ ଏହାର ଅତ୍ୟାଧୁନିକ ଉପକରଣ ଏବଂ ଯୁଦ୍ଧ ରଣନୀତି ପ୍ରଦର୍ଶନ କରିବ। ପ୍ରଦର୍ଶନୀ ସହିତ ପରେଡ୍, ନୃତ୍ୟ, ସାମରିକ ଅଭ୍ୟାସ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମର ଆୟୋଜନ ରହିଛି।