ଭୁବନେଶ୍ୱର : ଆଜି ବି ଉପାସ ରହିଛନ୍ତି ମହାପ୍ରଭୁ ଲିଙ୍ଗରାଜ। ସେବାୟତଙ୍କ ମଧ୍ୟରେ ବିବାଦର ହେଉନି ସମାଧାନ। ସୋମବାର ଠାରୁ ମକର ମଣ୍ଡପରେ ବସିଛନ୍ତି ମହାପ୍ରଭୁ। ନା ହେଉଛି ମଙ୍ଗଳ ଆଳତି ନା ହେଉଛି ଅବକାଶ ନୀତି।
ଗତକାଲି ବାରମ୍ବାର ବୈଠକ ସତ୍ତ୍ୱେ ସମାଧାନର ବାଟ ବାହାରି ପାରି ନଥିଲା। ଆଜି ପୁଣି ଆଇନମନ୍ତ୍ରୀଙ୍କ ଘରେ ବସିଥିବା ବୈଠକ ଶେଷ ହୋଇଛି ହେଲେ କୌଣସି ନିଷ୍କର୍ସ ବାହାରି ନଥିବା ସୂଚନା ରହିଛି। ଆଜି ବୈଠକରେ ବ୍ରାହ୍ମଣ ନିଯୋଗ ଯୋଗ ଦେଇ ନଥିଲେ । ଏନେଇ ଆଇନମନ୍ତ୍ରୀ କଡା ତାଗିଦ୍ କରିଛନ୍ତି ସମସ୍ତ ସେବାୟତ ଆସି ନିଜ ପକ୍ଷ ରଖିବାକୁ ସେ କହିଛନ୍ତି।ତେବେ ଅପରାହ୍ନରେ ଟ୍ରଷ୍ଟ ବୋର୍ଡ ବୈଠକ ବସିବା ନେଇ ଜିଲ୍ଲାପାଳଙ୍କ ସୂଚନା ଦେଇଛନ୍ତି।
ସୂଚନା ଥାଉ କି ପ୍ରଭୁ ଲିଙ୍ଗରାଜଙ୍କ ଘୃତ କମଳ ନୀତିକୁ ନେଇ ବଡୁ ସେବାୟତ ଓ ବ୍ରାହ୍ମଣ ନିଯୋଗର ସେବା ବିବାଦ ଦେଖିବାକୁ ମିଳିଛି । ପବିତ୍ର ପୁଷ୍ୟାଭିଷେକ ସନ୍ଧ୍ୟା ଧୂପ ପରେ ମକର ମଣ୍ଡପରେ ଲିଙ୍ଗରାଜ ମହାପ୍ରଭୁ ବିଜେ କରିଥାନ୍ତି । ଏହା ପରେ ମହାସୁଆରଙ୍କ ଦ୍ୱାରା କ୍ଷୀର ଆଉଟା ହୋଇ ଘୃତ କମଳ ପ୍ରସ୍ତୁତ ହୋଇଥାଏ । ମକର ସଂକ୍ରାନ୍ତି ପାଇଁ ଲିଙ୍ଗରାଜଙ୍କ ପାଖରେ ଘୃତ୍ୟ କମଳ ଲାଗି ହୋଇଥାଏ । କିନ୍ତୁ ଏଥର ପୁଣିଥରେ ବଡୁ ସେବାୟତ ଏକୁଟିଆ ଏହି ନୀତିକୁ ନିଜେ କରିବାକୁ ଦାବି କରିଥିଲେ । ଏଥିରେ ପୂଜାପଣ୍ଡା ନିଯୋଗ ବିରୋଧ କରିବାରୁ ନୀତିରେ ସହଯୋଗ କରି ନଥିଲେ । ଏଥିପାଇଁ ମହାପ୍ରଭୁ ମକର ମଣ୍ଡପରେ ସୋମବାର ସନ୍ଧ୍ୟାରୁ ଖାଡ଼ା ଉପବାସ ରହିଛନ୍ତି । ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି।