ନୂଆଦିଲ୍ଲୀ: ଭାରତର ନିର୍ବାଚନକୁ ନେଇ ମିଥ୍ୟା ତଥ୍ୟ ଦେଇଥିବା ମେଟା (ପୂର୍ବର ଫେସବୁକ) ଶେଷରେ ନିଜର ଭୁଲ ସ୍ୱୀକାର କରିଛି । ମେଟା ସିଇଓ ମାର୍କ ଜୁକରବର୍ଗ ନିଜର ଭୁଲ ତଥ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ବିଜେପି ସାଂସଦ ତଥା ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତିବିଦ୍ୟାର ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ନିଶିକାନ୍ତ ଦୁବେ । ମେଟାର ଭାରତୀୟ ଅଧିକାରୀ କ୍ଷମା ମାଗିଥିବା ନେଇ ସୋସିଆଲ୍ ମିଡିଆ ଏକ୍ସରେ ନିଶିକାନ୍ତ ଦୁବେ ସୂଚନା ଦେଇଛନ୍ତି ।
ନିଶିକାନ୍ତ କହିଛନ୍ତି, ଭାରତୀୟ ସଂସଦ ଏବଂ ସରକାର ୧୪୦ କୋଟି ଜନତାଙ୍କ ଆର୍ଶୀବାଦ ଏବଂ ବିଶ୍ୱାସ ଜିତିଛି । ମେଟାର ଭାରତୀୟ ଅଧିକାରୀ ଶେଷରେ ନିଜର ଭୁଲ ସ୍ୱୀକାର କରିଛନ୍ତି । ଏହି ବିଜୟ ଭାରତର ସାଧାରଣ ଜନତାଙ୍କର, ଭାରତର ଜନତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରି ଦୁନିଆକୁ ଦେଶର ସବୁଠାରୁ ମଜବୁତ ନେତୃତ୍ୱକୁ ପରିଚିତ କରାଇଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ମେଟାର ସିଇଓ ମାର୍କ ଜୁକରବର୍ଗ ଏକ ପୋଡକାଷ୍ଟ (The Joe Rogan Experience)ରେ କହିଥିଲେ ଯେ କରୋନା ମହାମାରୀ ପରେ ହୋଇଥିବା ନିର୍ବାଚନରେ ଭାରତ ସହିତ ବିଶ୍ୱର ଅନେକ ଦେଶର ସରକାର ଭାଙ୍ଗିଯାଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ଯଦି ମେଟା ନିଜର ଭୁଲ ସ୍ୱୀକାର ନ କରେ ତେବେ ତାଙ୍କ ବିରୋଧରେ ମାନହାନୀ ମକଦ୍ଦମା କରାଯାଇ ନୋଟିସ୍ ପଠାଯିବ ବୋଲି କହିଥିଲେ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତିବିଦ୍ୟାର ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ନିଶିକାନ୍ତ ଦୁବେ । ସେ କହିଥିଲେ କୌଣସି ବି ଗଣତାନ୍ତ୍ରିକ ଦେଶ ବିରୋଧରେ ମିଥ୍ୟା ଖବର ଦେଶର ଛବିକୁ ମଳିନ କରିଥାଏ । ଏହି ଭୁଲ ପାଇଁ ଭାରତୀୟ ସଂସଦୀୟ କମିଟି ଏବଂ ଜନତାଙ୍କୁ ଉକ୍ତ ସଂସ୍ଥା କ୍ଷମା ମାଗିବାକୁ ପଡ଼ିବ । ନ ହେଲେ ଆମ କମିଟି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ସେହିପରି ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱୀନି ବୈଷ୍ଣବ ମଧ୍ୟ ଅସନ୍ତୋଷ ପ୍ରକାଶ କରି ପୁଣି ଥରେ ସଠିକ୍ ଖବର ଦେବାକୁ ଦାବି କରିଥିଲେ ।