ପୁରୀ : ଶ୍ରୀମନ୍ଦିରରେ ଘଟିଛି ବଡ ଅଘଟଣ। ଠାକୁରଙ୍କ ସେବା କାର୍ଯ୍ୟ ବେଳେ ଚାଲିଗଲା ସେବାୟତଙ୍କ ଜୀବନ । ବୁଧବାର ଦ୍ବିପ୍ରହର ଧୂପ ପାଇଁ ରତ୍ନ ସିଂହାସନ ନିକଟରେ ପାଣି ପକାଉଥିବାବେଳେ ସୁଆରବଡୁ ସେବାୟତ ଜଗନ୍ନାଥ ସୁନାଥାଳି ଟଳିପଡ଼ିଥିଲେ। ଗୁରୁତର ଅବସ୍ଥାରେ ସଙ୍ଗେ ସଙ୍ଗେ ତାଙ୍କୁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜଗନ୍ନାଥଙ୍କ ଘର ଦୋଳମଣ୍ଡପ ସାହିରେ ବୋଲି ଜଣାପଡିଛି।
ଯୁବ ସେବାୟତ ଜଗନ୍ନାଥ ସୁନାଥାଳିଙ୍କ ହଠାତ୍ ମୃତ୍ୟୁ ଦ୍ୱାରା ଶ୍ରୀମନ୍ଦିର ସେବାୟତଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଥିଲା । ସଦର ମୁଖ୍ୟ ଚିକିତ୍ସାଳୟରେ ଶୋକାକୂଳ ପରିବେଶ ସୃଷ୍ଟି ହେବାସହ ଶେଷ ଦର୍ଶନ ପାଇଁ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ, ଏସପି, ଶ୍ରୀମନ୍ଦିର ନୀତି ପ୍ରଶାସକ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଓ ସେବାୟତମାନେ ଉପସ୍ଥିତ ଥିଲେ।
ସୂଚନା ଥାଉ କି ଦୁଇବର୍ଷ ପୂର୍ବରୁ ଯୁବ ସେବାୟତ ଜଗନ୍ନାଥ ସୁନାଥାଳି ଛାତି ଜନିତ ରୋଗରେ ଚିକିତ୍ସିତ ହେଉଥିବା ବେଳେ ପରେ ସୁସ୍ଥ ହୋଇ ପୁର୍ନବାର ମହାପ୍ରଭୁଙ୍କ ସେବାରେ ନିୟୋଜିତ ହୋଇଥିଲେ। କିନ୍ତୁ ଆଜି ହଠାତ୍ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।