କଟକ: ଆସନ୍ତା ମାସରୁ ଆରମ୍ଭ ହେବ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା । ଚଳିତ ଥର କପି ରୋକିବାକୁ ଓ ପ୍ରଶ୍ନ ପତ୍ର ଲିକ୍ ରୋକିବାକୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ସିସିଟିଭି ଠାରୁ ଆରମ୍ଭ କରି ୱାଟର୍ ମାର୍କର ବ୍ୟବସ୍ଥା କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଶ୍ରୀକାନ୍ତ ତରାଇ ।
ବୋର୍ଡ ଅଧ୍ୟକ୍ଷଙ୍କ ସୂଚନା ମୁତାବକ, ପ୍ରଶ୍ନ ପତ୍ର ଲିକ୍ ଅଭିଯୋଗକୁ ଦୃଷ୍ଟିରେ ରଖି ପଦକ୍ଷେପ ଗ୍ରହଣ କରାଯାଇଛି । ମାଟ୍ରିକ୍ ପ୍ରଶ୍ନ ପତ୍ର ଓ ଉତ୍ତର ଖାତାରେ ୱାଟର୍ ମାର୍କର ବ୍ୟବସ୍ଥା କରାଯାଇଛି । ସିରିଏଲ ନମ୍ବର ଅନୁଯାୟୀ ୱାଟର୍ ରଖାଯାଇ ପ୍ରତ୍ୟେକ ସେଣ୍ଟର୍ ପାଇଁ ପୃଥକ ୭ ଟିକିଆ ନମ୍ବର କୋର୍ଡ ରହିବ । ଏହା ଦ୍ୱାରା ଯେଉଁ ଫୋନରେ ପ୍ରଶ୍ନ ପତ୍ରର ଫଟୋ ଉଠାଯିବ, ୱାଟର୍ ମାର୍କ ଦ୍ୱାରା ଉକ୍ତ ପରୀକ୍ଷା ସେଣ୍ଟର୍ ଓ ଏମିତିକି କେଉଁ ପିଲାର ପ୍ରଶ୍ନ ପତ୍ର ତାହା ବିଷୟରେ ଜାଣି ହେବ । ତେବେ ଏ ନେଇ ଚୂଡ଼ାନ୍ତ ହୋଇ ନାହିଁ । ଖୁବ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଅଧ୍ୟକ୍ଷ ଶ୍ରୀକାନ୍ତ ତରାଇ । ତେବେ ପିଲାଙ୍କୁ ସାବଧାନ ରହିବାକୁ ଗଣାମଧ୍ୟମ ଜରିଆରେ ପରାମର୍ଶ ଦେଇଛନ୍ତି ଅଧ୍ୟକ୍ଷ ।
ସେହିପରି ପରୀକ୍ଷା କେନ୍ଦ୍ରକୁ କେହି ମୋବାଇଲ୍ ନେଇ ପାରିବେ ନାହିଁ । କେବଳ ସୁପରିଣ୍ଟେଣ୍ଡେଣ୍ଟ୍ ମାନେ ଫୋନ୍ ନେଇ ପାରିବେ । ଏମିତିକି ସେ କେବଳ ନିଜ ଅଫିସରେ ଫୋନର ବ୍ୟବହାର କରି ପାରିବେ, ପରୀକ୍ଷା କେନ୍ଦ୍ର ଭିତରକୁ ନେଇ ପାରିବେ ନାହିଁ । ଯଦି ମୋବାଇଲ୍ ନେବେ ତାହା ହେଲେ ସାଇଲେଣ୍ଟ୍ ମୋଡ୍ କିମ୍ବା ସୁଇଚ୍ ଅଫ୍ ରହିବ । ଆସନ୍ତା ଫେବୃୟାରୀ ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୬ରେ ଶେଷ ହେବ ।