ଭୁବନେଶ୍ୱର : ବୁଧବାର ଭୁବନେଶ୍ୱର ସ୍ଥିତ ହ୍ୟୁମାନ ପୋଟେନସିଆଲ ଡେଭେଲପମେଂଟ ଟ୍ରଷ୍ଟ ତରଫରୁ ଏକ ବିଶେଷ ଉତ୍ସବ “ରୂପାନ୍ତର” ଜୟଦେବ ଭବନଠାରେ ଆୟୋଜିତ ହୋଇ ଯାଇଛି । ବିଭିନ୍ନ ଅନାଥାଶ୍ରମ, ଆଦିବାସୀ ହଷ୍ଟେଲ, ସ୍କୁଲ ତଥା ବସ୍ତି ଅଂଚଳର ଯେଉଁ ଛାତ୍ରଛାତ୍ରୀ ଓ ଯୁବକଯୁବତୀମାନେ ଟ୍ରଷ୍ଟ ତରଫରୁ ବିନା ଶୁଳ୍କରେ ଦିଆଯାଉଥିବା ବ୍ୟକ୍ତିତ୍ୱ ବିକାଶ ଓ ଦକ୍ଷତା ବିକାଶ ତାଲିମ ନେଇଥିଲେ, ସେହିମାନେ ଏହି ଉତ୍ସବରେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ୨୪ଜଣ ଛାତ୍ରଛାତ୍ରୀ ମଞ୍ଚ ଉପରେ ଅତିଥିମାନଙ୍କ ଉପସ୍ଥିତିରେ ନିଜ ଭିତରେ ହୋଇଥିବା ପରିବର୍ତ୍ତନ ସଂପର୍କରେ ଖୋଲାଖୋଲି ଭାବରେ ପ୍ରକାଶ କରିଥିଲେ ।
ଏହି ରୂପାନ୍ତର ଉତ୍ସବରେ ମୁଖ୍ୟ ଅତିଥି ରୂପେ ରୋଟାରୀ ଡିଷ୍ଟିକ୍ଟ ଗଭର୍ଣ୍ଣର ରୋଟାରିଆନ ଯଜ୍ଞାଶିଷ ମହାପାତ୍ର ଯୋଗଦେଇ ଟ୍ରଷ୍ଟର କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିଥିଲେ । ସ୍ୱିଡେନରେ ରହୁଥିବା କର୍ଣ୍ଣେଲ ପ୍ରଫେସର ଆଦିତ୍ୟ ପରିଡା, ଏବଂ ଆମେରିକାର ଟେକ୍ସାସରେ ରହୁଥିବା ଡଃ ସ୍ୱାତୀ ତ୍ରୀପାଠୀ ସମ୍ମାନିତ ଅତିଥିରୂପେ ଯୋଗଦେଇ ବ୍ୟକ୍ତିତ୍ୱ ବିକାଶ ଶିକ୍ଷାକୁ ଜୀବନରେ ଉପଯୋଗ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ସମସ୍ତ ଅତିଥି ତାଲିମ ପ୍ରାପ୍ତ ଛାତ୍ରଛାତ୍ରୀ ଓ ଯୁବକଯୁବତୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ତାଲିମ ପ୍ରଦାନ କରୁଥିବା ପ୍ରଶିକ୍ଷକ, ପ୍ରଶିକ୍ଷିକା ଏବଂ ଏହି କାର୍ଯ୍ୟକ୍ରମରେ ସହଯୋଗ କରୁଥିବା ବ୍ୟକ୍ତି ବିଶେଷ ଓ ବିଭିନ୍ନ ଅନୁଷ୍ଠାନର ସଦସ୍ୟମାନଙ୍କୁଏଠାରେ ସମ୍ମାନିତ କରାଯାଇଥିଲା ।
ହ୍ୟୁମାନ ପୋଟେନସିଆଲ ଡେଭେଲପମେଂଟ ଟ୍ରଷ୍ଟ ତରଫରୁ ଦିଆଯାଉଥିବା ଏହି ପଚାଶ ଘଣ୍ଟାର କାର୍ଯ୍ୟକ୍ରମରେ ପିଲାମାନଙ୍କୁ ବିଭିନ୍ନ ନୈତିକ ଶିକ୍ଷା ସହିତ ସମୟର ସୁପରିଚାଳନା,ସକାରାତ୍ମକ ମନୋଭାବ, ସୁସଂପର୍କ ସ୍ଥାପନା, ଶୃଙ୍ଖଳା ଇତ୍ୟାଦି ସଂପର୍କରେ ତାଲିମ ଦିଆଯାଏ । ବର୍ତମାନ ସୁଦ୍ଧା ଭୁବନେଶ୍ୱରର ବିଭିନ୍ନ ବସ୍ତିର ପ୍ରାୟ ୧୮୦୦ ଛାତ୍ରଛାତ୍ରୀଙ୍କୁ ଏହି ତାଲିମ ଦିଆସରିଲାଣି । ସେହିପରି ବସ୍ତି ଅଂଚଳରେ ରହୁଥିବା ଯୁବକଯୁବତୀମାନଙ୍କୁ ରୋଜଗାରକ୍ଷମ କରାଇବା ପାଇଁ ରୋଟାରୀ ଇ-କ୍ଲବ ଅଫ୍ ମହୋଦଧିର ଆର୍ଥିକ ସହାୟତାରେ ବିନା ଦେୟରେ କମ୍ପୁଟର ଶିକ୍ଷା ଦିଆଯାଉଛି । ବର୍ତମାନ ସୁଦ୍ଧା ୭୦ଜଣ ଏହି
ତାଲିମ ପାଇ ସାରିଲେଣି । ମହିଳାମାନଙ୍କୁ ସ୍ୱାବଲମ୍ବୀ କରାଇବା ଉଦ୍ଦେଶ୍ୟରେ ଟ୍ରଷ୍ଟ୍ ତରଫରୁ ପଟ୍ଟଚିତ୍ର ଓ ଚାନ୍ଦୁଆ କାମ ଶିକ୍ଷା ଦିଆଯାଉଛି ।
ଏହି ଉତ୍ସବରେ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀ ରାଜ କୁମାର ସୂତାର ସଭାପତିତ୍ୱ କରିବା ସହିତ ଶ୍ରୀମତୀ ସୋନାଲି ସାମନ୍ତରାୟ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ । ପରିଶେଷରେ ଟ୍ରଷ୍ଟି ସୁଶ୍ରୀ କୀର୍ତି ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।