ଭୁବନେଶ୍ୱର: ସେବାୟତଙ୍କ ଜିଦ ଯୋଗୁଁ ୩ ଦିନ ହେଲାଣି ମହାପ୍ରଭୁ ଲିଙ୍ଗରାଜ ଉପବାସରେ ରହିଛନ୍ତି । ଏହାକୁ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଲିଙ୍ଗରାଜଙ୍କୁ ଉପବାସରେ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ମନ୍ତ୍ରୀ ।
ମନ୍ତ୍ରୀ କହିଛନ୍ତି, ନୀତିକାନ୍ତି ବନ୍ଦ ରହିବା ଦୁର୍ଭାଗ୍ୟଜନକ । ବିବାଦ ଭିତରେ ଠାକୁରଙ୍କ ନିତିକାନ୍ତି ବନ୍ଦ ହେବା ଭୁଲ । କୌଣସି ବି ଜାଗାରେ ଅଯୌକ୍ତିକ କଥାରେ ନୀତିକାନ୍ତି ବ୍ୟାଘାତ ଘଟେ ସରକାର କଠୋର ପଦକ୍ଷେପ ନେବେ । ଏହି ଘଟଣା ଏକ ଛୋଟ ସମସ୍ୟାକୁ ନେଇ ଘଟିଛି। ସେ ବାବଦରେ ଅନେକ କଥା ତର୍ଜମା ହୋଇଛି ।
ଆଜି ଏହି କାରଣରୁ ଟ୍ରଷ୍ଟ ବୋର୍ଡର ଏକ ଜରୁରକାଳୀନ ବୈଠକ ଡକାଯାଇଛି । ଟ୍ରଷ୍ଟ ବୋର୍ଡ ସମସ୍ତ ସେବାୟତ ବନ୍ଧୁଙ୍କୁ ଅନୁରୋଧ କରିବ ତୁରନ୍ତ ସେବା ପୂଜାକୁ ଆରମ୍ଭ କରନ୍ତୁ । କୌଣସି ସମୟରେ ଯେପରି ନୀତିକାନ୍ତି ବନ୍ଦ ପରି ଅଯୌକ୍ତିକ କଥା ନ ହେଉ ସେଥିପାଇଁ ଟ୍ରଷ୍ଟ ବୋର୍ଡ ଏକ ଦୃଢ଼ ନିଷ୍ପତ୍ତି ନେବାର ସମ୍ଭାବନା ରହିଛି । ସମସ୍ତ ଛତିଶା ପାଟକଙ୍କୁ ଏନେଇ ସ୍ପଷ୍ଟତାର ସହିତ ଜଣାଇ ଦିଆଯିବ ।
ସେହିପରି ପ୍ରଭୁ ଲିଙ୍ଗରାଜଙ୍କ ସେବା ପୂଜାର ସତ୍ତ୍ଵଲିପିରେ ଆଇନଗତ ସମସ୍ୟା ରହିଛି । ଖୁବଶୀଘ୍ର ସେଥିପାଇଁ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକକ ସଦସ୍ୟ ବିଶିଷ୍ଟ କମିଶନ ସ୍ଥାପନ କରାଯିବ । ସେ ନିଯୋଗମାନଙ୍କ ସହିତ ଆଲୋଚନା କରି ଏବଂ ସମ୍ପର୍ଣ୍ଣ ତଥ୍ୟ ସଂଗ୍ରହ କରିବେ । ଏହା ପରେ ତର୍ଜମା କରି ୨ ମାସ ଭିତରେ ସମ୍ପୂର୍ଣ ଡ୍ରାଫ୍ଟ ଦେବେ ।
ସମସ୍ତଙ୍କୁ ଅନୁରୋଧ କରାଯାଇଛି ଯେ ଯାହା ବି ସମସ୍ୟା ରହିଛି ତାକୁ ଟ୍ରଷ୍ଟ ବୋର୍ଡକୁ ଜଣାନ୍ତୁ । କିନ୍ତୁ ସେଇ ଆଳରେ ମହାପ୍ରଭୁଙ୍କ ସେବା ପୂଜାକୁ ବନ୍ଦ କରିବା, ମହାପ୍ରଭୁ ଏବଂ ଭକ୍ତଙ୍କୁ ଅସୁବିଧାରେ ପକାଇବାକୁ ସରକାର ଗ୍ରହଣ କରିବେ ନାହିଁ । ଯଦି ବ୍ୟାଘାତ ହୁଏ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦେଇଛନ୍ତି ଆଇନମନ୍ତ୍ରୀ ।
ଏହା ସହିତ ଏଭଳି କାମରେ କିଛି ରାଜନୈତିକ ରୁଟି ସେକିବାକୁ ଚେଷ୍ଟା କରୁଛନ୍ତି । ତେଣୁ ଏଭଳି ଅବାନ୍ତର କାମ ନ କରି ମହାପ୍ରଭୁଙ୍କୁ ସେବା ପୂଜାରେ ମନ ଦେବାକୁ ଅନୁରୋଧ କରିଛନ୍ତି ମନ୍ତ୍ରୀ ।