ଭୁବନେଶ୍ୱର: ବୁଧବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ବାଘ ଛୁଆର ମୃତ୍ୟୁ ଘଟିଛି। ଶାବକଟି ଅସୁସ୍ଥ ଥିବାରୁ ଗତ ତିନିଦିନ ହେବ ଚିକିତ୍ସିତ ହେଉଥିଲା। କିନ୍ତୁ ଆଜି ମୃତ୍ୟୁ ଘଟିଛି । ଏହି ଶାବକଟି ବସି ରହୁଥିଲା ଏବଂ ଖାଇବାକୁ ଆସୁ ନଥିଲା। ଶାବକକୁ ମା’ ଠାରୁ ଅଲଗା କରାଯାଇ ପରୀକ୍ଷଣ କରାଯାଇଥିଲା। ଶାବକର ଶରୀରର ତାପମାତ୍ରା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଥିଲା ଏବଂ ତୁରନ୍ତ ଚିକିତ୍ସା ପାଇଁ ପ୍ରାଣୀ ଉଦ୍ୟାନର ପ୍ରାଣୀ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଉଭୟ ପ୍ରାଣୀ ଉଦ୍ୟାନର ପ୍ରାଣୀ ଚିକିତ୍ସା ଦଳ ଏବଂ ସିଡବ୍ଲ୍ୟୁଏଚ୍ ବିଶେଷଜ୍ଞଙ୍କ ଚିକିତ୍ସା ସତ୍ତ୍ବେ ଶାବକ ଖାଦ୍ୟ ଖାଇ ନଥିଲା। ଧିରେ ଧିରେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଲାଗିଥିଲା ଓ ମୃତ୍ୟୁ ହୋଇଥିଲା।
ସୂଚନା ଅନୁଯାୟୀ, ୨ ନଭେମ୍ବର ୨୦୨୪ରେ ନନ୍ଦନକାନନରେ ବାଘୁଣୀ ରୁପା ଚାରିଟି ଛୁଆ ଜନ୍ମ ଦେଇଥିଲା। ସେଥିରୁ ଗୋଟିଏ ବାଘ ଶାବକର ମୃତ୍ୟୁ ହୋଇଛି। ଏହାପରେ ଅନ୍ୟ ଶାବକମାନଙ୍କ ଉପରେ ସିସିଟିଭି କ୍ୟାମେରା ଦ୍ବାରା କଡ଼ା ନଜର ରଖାଯାଇଛି। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏହାର କାରଣ ଜାଣିବା ପାଇଁ ମୃତ ଶାବକର ପୋଷ୍ଟମର୍ଟମ ହୋଇଛି।
ବର୍ତ୍ତମାନ ନନ୍ଦନକାନନର ପ୍ରାଣୀ ଉଦ୍ୟାନରେ ବୟସ୍କ ଏବଂ ଶାବକଙ୍କୁ ମିଶାଇ ମୋଟ ୨୭ଟି ବାଘ ଅଛନ୍ତି। ସେଥିମଧ୍ରୁ ୧୪ଟି ଅଣ୍ଡିରା ବାଘ, ୧୦ଟି ମାଈ ବାଘ ଏବଂ ୩ଟି ବାଘ ଶାବକ ଅଛନ୍ତି।