ଯୋଧପୁର: ଦୁଷ୍କର୍ମ ମାମଲାରେ ଛନ୍ଦି ହୋଇ ଜେଲରେ ଥିବା ତଥାକଥିତ ଆତ୍ମଘୋଷିତ ବାବା ଆଶାରାମ ବାପୁ ଜାମିନରେ ମୁକୁଳିଛନ୍ତି । ସେ ଅନ୍ତରୀଣ ଜାମିନ ପାଇବା ପରେ ତାଙ୍କର ରାଜସ୍ଥାନ ଯୋଧପୁର ପାଲ ଗ୍ରାମସ୍ଥିତ ଆଶ୍ରମକୁ ଫେରିଛନ୍ତି । ଆରୋଗ୍ୟ ମେଡ଼ିକାଲରୁ ବାହାରିବା ପରେ ଆଶାରାମଙ୍କୁ ତାଙ୍କ ଅନୁଗତମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇଛନ୍ତି । ଫୁଲ ମାଳ ପିନ୍ଧାଇ, ବାଣ ଫୁଟାଇ ତାଙ୍କୁ ସ୍ୱାଗତ କରାଯାଇଥିବା ଦେଖିବାକୁ ମିଳିଛି ।
୨୦୧୩, ସେପ୍ଟେମ୍ବର ୨ରୁ ଗିରଫ ହୋଇ ଆଶାରାମ ବାପୁ ଜେଲରେ ରହିଛନ୍ତି । ଯୋଧପୁର ମନାଇ ଆଶ୍ରମରେ ଏକ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ସେ ସଜା କାଟୁଛନ୍ତି । ୨୦୧୮, ଏପ୍ରିଲ୍ ୨୫ ତାରିଖରେ ଯୋଧପୁର ସ୍ୱତନ୍ତ୍ର ପୋସ୍କୋ ଅଦାଲତ ଆଶାରାମଙ୍କୁ ଆଜୀବନ କରାଦଣ୍ଡରେ ଦଣ୍ଡିତ କରିଥିଲେ ।
ଜେଲରେ ୧୧ ବର୍ଷ ୪ ମାସ ୧୨ ଦିନ ରହିବା ପରେ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ରାଜସ୍ଥାନ ହାଇକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ହାଇକୋର୍ଟଙ୍କ ବିଚାରପତି ଦିନେଶ ମେହତା ଏବଂ ବିଚାରପତି ବିରେନ୍ଦ୍ର କୁମାର ମାଥୁରଙ୍କ ଖଣ୍ଡପୀଠ ଆଗାମୀ ମାର୍ଚ୍ଚ ୩୧ ଯାଏଁ ତାଙ୍କୁ ଜାମିନ ପ୍ରଦାନ କରିଥିବା ନେଇ ତାଙ୍କ ପକ୍ଷ ଓକିଲ ୟଶପାଲ ସିଂହ ରାଜ ପୁରୋହିତ କହିଛନ୍ତି ।
ତେବେ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି । ସେ ନିଜର ଅନୁଗତଙ୍କ ସହିତ ଦେଖା କରି ପାରିବେ ନାହିଁ କିମ୍ବା ସାକ୍ଷୀଙ୍କୁ ପ୍ରଭାବିତ କରିପାରିବେ ନାହିଁ ଆଶାରାମ ବାପୁ ।