ପ୍ରୟାଗରାଜ: ପବିତ୍ର ମହାକୁମ୍ଭରୁ ପ୍ରତ୍ୟେକ ଦିନ ରୋଚକ ତଥ୍ୟ ଆସୁଛି । ଆଧୁନିକ ଦୁନିଆରୁ ଚାକ ଚମକକୁ ଛାଡ଼ି ଅନେକ ବ୍ୟକ୍ତି ବୈରାଗୀ ଜୀବନକୁ ବାଛି ନେଉଛନ୍ତି । ଆଉ ଅନେକ ସାଧୁ ସନ୍ଥଙ୍କୁ ଏହି ପବିତ୍ର ମହାକୁମ୍ଭରେ ଦେଖିବାକୁ ମିଳୁଛି । ଏବେ ମହାକୁମ୍ଭରେ ଜଣେ ସନ୍ୟାସୀଙ୍କ ସାକ୍ଷାତକାର ବେଶ୍ ଭାଇରାଲ ହେବାକୁ ଲାଗିଛି । ସେ ହେଉଛନ୍ତି ଭାଇରାଲ “ଆଇଆଇଟି ବାବା” । ଯିଏ କି ଆଇଆଇଟି ମୁମ୍ବାଇରୁ ଶିକ୍ଷା ଲାଭ କରିବା ପରେ ଏବେ ସନ୍ୟାସୀ ଜୀବନ ବିତାଉଛନ୍ତି ।
ଭାଇରାଲ IIT ବାବାଙ୍କ ଜୀବନୀ
ନ୍ୟୁଜ୍-18 ସହିତ ଏକ ସାକ୍ଷାତକାର ପରେ ଆଇଆଇଟି ବାବାଙ୍କ ତଥ୍ୟ ସାମ୍ନାକୁ ଆସିଛି । ଯେଉଁ ଆଇଆଇଟି ପାଠ ପଢ଼ିବାକୁ ପିଲାମାନେ ଦିନରାତି ଏକ କରି ଦିଅନ୍ତି ସେହି ଆଇଆଇଟି ଶିକ୍ଷା ଲାଭ କରିବା ପରେ ଜଣେ ଛାତ୍ର ବୈରାଗୀ ଜୀବନ ବିତାଉଛନ୍ତି । ସେ ହେଉଛନ୍ତି ଅଭୟ ସିଂହ । ତାଙ୍କର ପ୍ରକୃତ ଘର ହେଉଛି ହରିୟାଣା ରାଜ୍ୟରେ । ସେ ଆଇଆଇଟି ବମ୍ବେରୁ ଏରୋସ୍ପେସ୍ ଇଞ୍ଜିନିୟରିଂରେ ୪ ବର୍ଷ ପାଠ ପଢ଼ା ଶେଷ କରିବା ପରେ ସେ ଫଟୋଗ୍ରାଫି କରିବାକୁ ଚାହୁଁଥିଲେ । କିନ୍ତୁ ବିନା ଡିଗ୍ରୀ ସାର୍ଟିଫିକେଟରେ ତାଙ୍କୁ କେହି ଚାକିରି ଦେଇ ନ ଥିଲେ । ସେଥିପାଇଁ ଡିଜାଇନିଂରେ ମାଷ୍ଟର୍ସ ମଧ୍ୟ କରିଛନ୍ତି । ଏହା ପରେ ସେ କାମ କରିବା ଆରମ୍ଭ କରିଥିଲେ । କିନ୍ତୁ ତାଙ୍କ ମନ କୌଣସି ସ୍ଥିର ଅନୁଭବ କରିଥିଲା କି ତାଙ୍କୁ ଶାନ୍ତି ମିଳି ନ ଥିଲା । ସିଧାସଳଖ ମୋହ ମାୟାର ସଂସାରକୁ ତ୍ୟାଗ କରିଦେଇଥିଲେ । କୌଣସି ବଡ଼ କମ୍ପାନୀରେ ଚାକିରି କରି ମୋଟା ଅଙ୍କର ଦରମା ପାଇବା ବଦଳରେ ସିଧାସାଧା ଜୀବନ ବାଛି ନେଇଥିଲେ ଅଭୟ ସିଂହ ।
ତାଙ୍କୁ ଗଣମାଧ୍ୟମ ପ୍ରତିନିଧି ଯେତେବେଳେ ପ୍ରୟାଗରାଜର ଅବ୍ୟବସ୍ଥା ନେଇ ପ୍ରଶ୍ନ ପଚରାଯାଇଥିଲା । ସେତେବେଳେ ସେ ଉତ୍ତର ଦେଇଥିଲେ “ଜ୍ଞାନ ପଛରେ ଚାଲି ଚାଲ, କିନ୍ତୁ ଶେଷରେ ସମସ୍ତଙ୍କୁ ଏଇଠାକୁ ଆସିବାକୁ ପଡ଼ିବ…”। ପରିଚୟ ପଚାରିବାରୁ କହିଥିଲେ କେଉଁ ନାମ କହିବି, ମୋର ବହୁତ ନାମ ଅଛି । କିଏ କହୁଛି ମଶାଣୀ ଗୋରଖ, ବଟୁକ ଭୈରବ, ରାଘବ ମାଧବ ତ ଆଉ କିଏ କହୁଛି ସର୍ବେଶ୍ୱରୀ, ଜଗଦୀଶ୍ୱରୀ ଏବଂ ଜଗଦୀଶ । ତେବେ ସେ ନିଜକୁ କୌଣସି ସାଧୁ, ସନ୍ଥ କି ବୈରାଗୀ ବୋଲି କହି ନାହାଁନ୍ତି । ସେ ନିଜେ ନିଜେ ଜ୍ଞାନର ସନ୍ଧାନରେ ବାହାରିଛନ୍ତି ବୋଲି କହିଛନ୍ତି ।