ରାଜକୋଟ: ଭାରତୀୟ ମହିଳା କ୍ରିକେଟ୍ ଦଳ ଇତିହାସ ରଚିଛି । ଯେଉଁଥିରେ ପୁରୁଷ କ୍ରିକେଟ୍ ଦଳ ମଧ୍ୟ ପଛରେ ପଡ଼ି ଯାଇଛନ୍ତି । ରାଜକୋଟରେ ବୁଧବାର ଖେଳାଯାଇଥିବା ଦିନିକିଆ ସିରିଜର ତୃତୀୟ ଟୁର୍ଣ୍ଣାମେଣ୍ଟରେ ମହିଳା ଦଳ ଇତିହାସ ରଚିଛି । ଆୟରଲ୍ୟାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ୫୦ ଓଭରରେ ୫ ୱିକେଟ୍ ହରାଇ ୪୩୫ ରନ୍ କରିଛି । ଯାହାକି ପୁରୁଷ ଟିମର ରେକର୍ଡକୁ ଭାଙ୍ଗିଛି । ୨୦୧୧ରେ ଇନ୍ଦୋରରେ ଖେଳାଯାଇଥିବା ୱେଷ୍ଟ ଇଣ୍ଡିଜ୍ ବିପକ୍ଷ ଦିନିକିଆ ମ୍ୟାଚରେ ପୁରୁଷ ଟିମ୍ ୪୧୮/୫ ସ୍କୋର୍ କରିଥିଲା ।
ଆୟରଲ୍ୟାଣ୍ଡ ସହିତ ଚାଲିଥିବା ସିରିଜରେ ହରମନପ୍ରୀତଙ୍କ ସ୍ଥାନରେ ସ୍ମୃତି ମାନ୍ଧାନା କ୍ୟାପଟେନ୍ ଭାର ସମ୍ଭାଳିଛନ୍ତି । ରାଜକୋଟରେ ଆଜି ଖେଳାଯାଇଥିବା ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଭାରତ ନିଷ୍ପତି ନେଇଥିଲା । ପ୍ରଥମ ଥର ପାଇଁ ମହିଳା ଟିମ୍ ୪୦୦ ପାର୍ କରି ନିଜର ରେକର୍ଡକୁ ଭାଙ୍ଗିଥିଲା । କାରଣ ଏହା ପୂର୍ବରୁ କେବେବି ୪୦୦ ସ୍କୋର କରି ନ ଥିଲା ଦଳ । ଏହା ପରେ ୫ ୱିକେଟ୍ ହରାଇ ୪୩୫ ସ୍କୋର୍ କରିଥିଲା ।
କ୍ୟାପଟେନ୍ ଭାର ସମ୍ଭାଳିଥିବା ସ୍ମୃତି ମାନ୍ଧାନା ଓ ଓପନର୍ ପ୍ରତୀକା ରାୱଲ ଉଭୟ ଶତକ ହାସଲ କରିଛନ୍ତି । ମାତ୍ର ୭୦ଟି ବଲରେ ସ୍ମତି ଦ୍ରୁତ ଶତକ କରି ନିଜ ନାମରେ ଆଉ ଏକ ରେକର୍ଡ ଯୋଡ଼ିଛନ୍ତି । ପରେ ସେ ୮୦ଟି ବଲରେ ୧୩୫ ରନ୍ କରିଛନ୍ତି । ଏହା ତାଙ୍କର ୧୦ତମ ଶତକ ଅଟେ । ତେବେ ସେ ହରମନପ୍ରୀତଙ୍କ ରେକର୍ଡକୁ ମଧ୍ୟ ପଛରେ ପକାଇଛନ୍ତି । ମହିଳା ଭାରତୀୟ ବ୍ୟାଟସମ୍ୟାନଙ୍କ ମଧ୍ୟରେ ସେ ଦ୍ରୁତ ଶତକ ହାସଲ କରିବାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ହରମନପ୍ରୀତ ୨୦୧୭ରେ ୯୦ଟି ବଲ ଖେଳି ୧୦୦ ରନ୍ କରିଥିଲେ ।
ସେହିପରି ଓପନର୍ ପ୍ରତୀକା ରାୱଲ ୧୨୯ଟି ବଲ୍ ଖେଳି ୧୫୪ ରନ୍ ସଂଗ୍ରହ କରିଥିଲେ । ତାଙ୍କର ଏହା ପ୍ରଥମ ଦିନିକିଆ ଶତକ ଅଟେ । ପ୍ରତୀକା ଏ ଯାଏ ୬ଟି ମ୍ୟାଚ୍ ଅନ୍ତର୍ଜାତୀୟ ଦିନିକିଆ ଖେଳି ୪୪୪ ରନ୍ କରିଛନ୍ତି । ତେବେ ଦିନିକିଆରେ ୧୫୪ ରନ୍ କରି ତୃତୀୟ ସ୍ଥାନରେ ରହିଛନ୍ତି । ପ୍ରଥମରେ ଦିପ୍ତୀ ଶର୍ମା (୧୮୮) ଓ ଦ୍ୱିତୀୟରେ ହରମନପ୍ରୀତ (୧୭୧) ରହିଛନ୍ତି ।