ନୂଆଦିଲ୍ଲୀ: ଭାରତୀୟ ଜାତୀୟ କଂଗ୍ରେସକୁ ମିଳିଛି ନୂଆ ଠିକଣା । କଂଗ୍ରେସର ନୂତନ ମୁଖ୍ୟ କାର୍ଯ୍ୟାଳୟ 'ଇନ୍ଦିରା ଭବନ'କୁ ଉଦଘାଟନ କରିଛନ୍ତି ସୋନିଆ ଗାନ୍ଧୀ । ନୂଆଦିଲ୍ଲୀର 9A-କୋଟଲା ରୋଡ୍ ରେ ନିର୍ମାଣ କରାଯାଇଛି ଇନ୍ଦିରା ଭବନ । ଉଦଘାଟନୀ ସମାରୋହରେ କଂଗ୍ରେସର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଅନ୍ୟ ପ୍ରମୁଖ ନେତାମାନେ ଉପସ୍ଥିତ ରହି ପତକା ଉତ୍ତୋଳନ କରିଛନ୍ତି ।
ପୂର୍ବରୁ କଂଗ୍ରେସର ମୁଖ୍ୟ କାର୍ଯ୍ୟାଳୟ ୨୪ ଆକବର ରୋଡରେ ଥିଲା । ଯାହାକୁ ଏବେ 9A-କୋଟଲା ରୋଡ୍ କୁ ସ୍ଥାନାନ୍ତରଣ କରାଯାଇଛି । ନୂତନ କାର୍ଯ୍ୟାଳୟକୁ 'ଇନ୍ଦିରା ଭବନ' ନାମରେ ନାମିତ କରାଯାଇଛି । ୨୫୨ କୋଟି ବ୍ୟୟରେ ନିର୍ମାଣ କରାଯାଇଛି କଂଗ୍ରେସ ଭବନ । ଏଥିରେ ବିଶାଳ ବୈଠକ କୋଠରୀ, ହାଇଟେକ୍ ଅଡ଼ିଟୋରିୟମ, ଅଭ୍ୟର୍ଥନା କକ୍ଷ, କ୍ୟାଣ୍ଟିନ୍, ମିଡ଼ିଆ ପ୍ରଭାରୀ ଅଫିସ୍ ରହିଛି । ସେହିପରି ଟିଭି ଆଲୋଚନା ପାଇଁ ସାଉଣ୍ଡ ପ୍ରୁଫ୍ ଷ୍ଟୁଡିଓ କରାଯାଇଛି । ଏହା ସହିତ ଗଣାମାଧ୍ୟମ ପ୍ରତିନିଧି ଏବଂ କ୍ୟାମେରମ୍ୟାନଙ୍କ ବସିବା ନିମନ୍ତେ କୋଠରୀ ମଧ୍ୟ ରଖାଯାଇଛି । ଏହା ସହିତ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ମଧ୍ୟ ରହିଛି ।
ଇନ୍ଦିରା ଭବନରେ ଦଳର ଇତିହାସ ସହିତ ଜଡ଼ିତ ଫଟୋକୁ ଲଗାଯାଇଛି । ଏଥିରେ ଗାନ୍ଧୀ ପରିବାର ସହିତ ମତଭେଦ ଥିବା ନେତାଙ୍କ ଫଟୋ ମଧ୍ୟ ସାମିଲ ରହିଛି । ଯେମିତିକି ନରସିଂହା ରାଓ, ସୀତାରାମ ୟେଚୁରୀ, ପ୍ରଣବ ମୁଖାର୍ଜୀ ଏବଂ ଗୁଲାମ ନବୀ ଆଜାଦଙ୍କ ଫଟୋ ମଧ୍ୟ ସ୍ଥାନ ପାଇଛି । ଏହି ଫଟୋ ସବୁ ଲଗାଯିବା ପଛରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଭୂମିକା ରହିଥିବା କୁହାଯାଉଛି ।