ନୂଆଦିଲ୍ଲୀ: ମାର୍କ ଜୁକରବର୍ଗଙ୍କୁ କାଠଗଡ଼ାକୁ ଟାଣିବ ଭାରତ । ମିଥ୍ୟା ଖବର ଦେବା ଅଭିଯୋଗରେ ମେଟା (ପୂର୍ବର ଫେସବୁକ୍) ସିଇଓ ଜୁକରବର୍ଗଙ୍କ ବିରୋଧରେ ମାନହାନି ମକଦ୍ଦମା କରିବାକୁ ପ୍ରସ୍ତୁତ ହେଉଛି ସଂସଦୀୟ କମିଟି । ଖୁବ ଶୀଘ୍ର ଏ ନେଇ ନିଷ୍ପତ୍ତି ନିଆଯାଇ ପାରେ ।
ବିଜେପି ସାଂସଦ ତଥା ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତିବିଦ୍ୟାର ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ନିଶିକାନ୍ତ ଦୁବେ କହିଛନ୍ତି, ମିଥ୍ୟା ଖବର ଦେବା ମାମଲାରେ ମେଟା କ୍ଷମା ପ୍ରାର୍ଥନା କରିବା ଉଚିତ । କୌଣସି ବି ଗଣତାନ୍ତ୍ରିକ ଦେଶ ବିରୋଧରେ ମିଥ୍ୟା ଖବର ଦେଶର ଛବିକୁ ମଳିନ କରିଥାଏ । ଏହି ଭୁଲ ପାଇଁ ଭାରତୀୟ ସଂସଦୀୟ କମିଟି ଏବଂ ଜନତାଙ୍କୁ ଉକ୍ତ ସଂସ୍ଥା କ୍ଷମା ମାଗିବାକୁ ପଡ଼ିବ । ନ ହେଲେ ଆମ କମିଟି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । କମିଟି ସହିତ ଆଲୋଚନା କରାଯିବ ଏବଂ ତାଙ୍କୁ ଜାନୁୟାରୀ 20ରୁ 24 ତାରିଖ ମଧ୍ୟରେ ହାଜର ହେବାକୁ କହିବୁ ।
ତେବେ ଜୁକରବର୍ଗଙ୍କ ବୟାନକୁ ନେଇ ଏହା ପୂର୍ବରୁ କେନ୍ଦ୍ର ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱୀନି ବୈଷ୍ଣବ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ . ପୁଣି ଥରେ ସଠିକ୍ ଖବର ଦେବାକୁ ସେ ଦାବି କରିଛନ୍ତି । ସେ କହିଛନ୍ତି, ଦୁନିଆର ସର୍ବ ବୃହତ୍ତ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ଭାରତରେ 640 ମିଲିୟନରୁ ଅଧିକ ମତଦାତାଙ୍କୁ ନେଇ ନିର୍ବାଚନ ହେଲା । ଭାରତର ଜନତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ଉପରେ ପୁଣି ଥରେ ବିଶ୍ୱାସ କଲେ । କିନ୍ତୁ ଜୁକରବର୍ଗଙ୍କ ବୟାନ ସମ୍ପୂର୍ଣ୍ଣଭାବେ ଭୁଲ ଅଟେ ।
ମେଟାର ସିଇଓ ମାର୍କ ଜୁକରବର୍ଗ ଏକ ପୋଡକାଷ୍ଟ (The Joe Rogan Experience)ରେ କହିଥିଲେ ଯେ କରୋନା ମହାମାରୀ ପରେ ହୋଇଥିବା ନିର୍ବାଚନରେ ଭାରତ ସହିତ ବିଶ୍ୱର ଅନେକ ଦେଶର ସରକାର ଭାଙ୍ଗିଯାଇଛି ।