ନାଗପୁର: ମହାରାଷ୍ଟ୍ରର ନାଗପୁର ସହରରେ ୫୦ରୁ ଅଧିକ ଲୋକଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଜଣେ ୪୫ ବର୍ଷୀୟ ମନୋବିଜ୍ଞାନୀଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ପୂର୍ବ ନାଗପୁରରେ ଏକ କ୍ଲିନିକ୍ ଚଳାଉଛନ୍ତି। ଗତ ୧୫ ବର୍ଷ ମଧ୍ୟରେ ସେ ୫୦ ଜଣ ଛାତ୍ରୀଙ୍କୁ ବ୍ଲାକମେଲ୍ କରିବା ସହ ଯୌନ ନିର୍ଯାତନା ଦେଇଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ପୋକ୍ସୋ ଓ ଏସ୍ ସି/ଏସ୍ଟି ଆକ୍ଟରେ ମାମଲା ରୁଜୁ କରାଯାଇଛି ବୋଲି ହୁଡକେଶ୍ୱର ଥାନାର ଜଣେ ଅଧିକାରୀ କହିଛନ୍ତି।
ପୁଲିସ କହିଛି, ମନୋବିଜ୍ଞାନୀ ଜଣକ ଛାତ୍ରୀମାନଙ୍କୁ ବ୍ୟକ୍ତିଗତ ଓ ବୃତ୍ତିଗତ ବିକାଶ ର ପ୍ରତିଶ୍ରୁତି ଦେଇ ଠକିଥିବା ଅଭିଯୋଗ ହୋଇଛି। ସେ ଭ୍ରମଣ ଏବଂ ଶିବିର ଆୟୋଜନ କରିଥିଲେ ଯେଉଁଠାରେ ସେ ସେମାନଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ପୁଲିସ କହିଛି ଯେ ଅଭିଯୁକ୍ତ ଅଶ୍ଳୀଳ ଫଟୋ ଉଠାଉଥିଲେ ଏବଂ ପରେ ଛାତ୍ରୀଙ୍କୁ ବ୍ଲାକମେଲ କରିବା ପାଇଁ ବ୍ୟବହାର କରୁଥିଲେ। ବହୁ ବ୍ଲାକମେଲର ସମ୍ମୁଖୀନ ହେବା ପରେ ଜଣେ ଛାତ୍ର ପୁଲିସର ଦ୍ୱାରସ୍ଥ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା।
ଅଧିକାରୀମାନେ ବିଶ୍ୱାସ କରନ୍ତି ଯେ ଏହି ମାମଲାରେ ଅଧିକାଂଶ ପୀଡ଼ିତା ବିବାହିତ, ତେଣୁ ସେମାନେ ପୁଲିସରେ ଅଭିଯୋଗ କରିବାକୁ କୁଣ୍ଠାବୋଧ କରିଥିଲେ। ପୀଡ଼ିତାଙ୍କ ସହ ଯୋଗାଯୋଗ କରି ଘଟଣାର ତଦନ୍ତ ପାଇଁ ପୁଲିସ ଏକ ସ୍ୱତନ୍ତ୍ର କମିଟି ଗଠନ କରିଛି। ଏହା ପୂର୍ବରୁ ନାଗପୁର ଜିଲ୍ଲାର ଭିୱାପୁର ତାଲୁକାର ଦିଘୋରା ଗାଁରେ ମଧ୍ୟ ନାବାଳିକାଙ୍କୁ ଯୌନ ନିର୍ଯାତନାର ଏକ ଘଟଣା ସାମ୍ନାକୁ ଆସିଥିଲା। ଅଭିଯୁକ୍ତମାନେ ଘର ସମ୍ମୁଖରେ ଖେଳୁଥିବା ୮ ବର୍ଷର ଦୁଇ ନାବାଳିକାଙ୍କୁ ଖେଳନା ଆଣିବା ବାହାନାରେ ପ୍ରଲୋଭନ ଦେଖାଇ ନିଜ ଘରକୁ ନେଇଯାଇଥିଲେ।
ଜଣେ ନାବାଳିକା କୌଣସି ପ୍ରକାରେ ସେଠାରୁ ଖସି ପଳାଇଥିବା ବେଳେ ଅନ୍ୟ ଜଣେ ଯୌନ ନିର୍ଯାତନାର ଶିକାର ହୋଇଥିଲେ। ନାବାଳିକା ଜଣକ ଘରକୁ ଯାଇ ମା'ଙ୍କୁ ସବୁ କଥା କହିଥିଲେ। ଅଭିଯୋଗ ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା।
ଅଧିକ ପଢ଼ନ୍ତୁ: ଲଦାଖ ସୀମାରେ ଦୁଇଟି ଏୟାରବେସ ନିର୍ମାଣ କରୁଛି ଚୀନ