ନୂଆଦିଲ୍ଲୀ: ଆଉ କେଇଟା ଦିନ ପରେ ଦିଲ୍ଲୀରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ଏଥିପାଇଁ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟୀ ନେତ୍ରୀ ଆତିଶୀ ମାର୍ଲେନା ମକର ସଂକ୍ରାନ୍ତି ଅବସରରେ ମଙ୍ଗଳବାର ନାମାଙ୍କନ ଭରିଛନ୍ତି । ସେ କାଲକାଜୀ ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ଆସନରୁ କଂଗ୍ରେସରୁ ଲଢ଼ୁଥିବା ଅଲକା ଲାମ୍ବା ମଧ୍ୟ ତାଙ୍କର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।
କାଲକାଜୀ ଆସନରେ ସେ ବିଜେପିର ରମେଶ ବିଧୁରୀ, କଂଗ୍ରେସର ଅଲକା ଲାମ୍ବା ଏବଂ ଆପର ଆତିଶୀ ମାର୍ଲେନାଙ୍କ ମଧ୍ୟର ତ୍ରିମୁଖୀ ଲଢ଼େଇ ଦେଖବାକୁ ମିଳିବ । ୪୩ ବର୍ଷିୟା ଆତିଶୀ ପୂର୍ବ ନିର୍ବାଚନରେ ମଧ୍ୟ ଏହି ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ପରେ ସେ ସେପ୍ଟେମ୍ବର ୨୨ରେ ଦିଲ୍ଲୀର ୩ୟ ମହିଳା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ।
ନାମାଙ୍କନ ଭରିବା ପରେ ଆତିଶୀ କହିଛନ୍ତି, “ଆଜି ମକର ସଂକ୍ରାନ୍ତିଙ୍କ ଶୁଭ ଅବସରରେ ମୁଁ କାଲକାଜୀ ବିଧାନସଭା ଆସନରୁ ମୋର ନାମାଙ୍କନ ଦାଖଲ କରିଛି। ମୋର ସମ୍ପୂର୍ଣ୍ଣ ଆଶା ଅଛି ଯେ ଗତ ୫ ବର୍ଷ ମଧ୍ୟରେ ମୁଁ କାଲକାଜୀଙ୍କ ଲୋକଙ୍କ ଠାରୁ ଭଲପାଇବା ପାଇଛି । ସେହିଭଳି ଆଗାମୀ ନିର୍ବାଚନରେ ମଧ୍ୟ ମୁଁ ନିଶ୍ଚିତ ଭାବେ କାଲକାଜୀଙ୍କ ଲୋକଙ୍କ ଠାରୁ ଆଶୀର୍ବାଦ ପାଇବି”।
ଅନ୍ୟପକ୍ଷରେ ୪୯ ବର୍ଷିୟା ଜାତୀୟ ମହିଳା କଂଗ୍ରେସ ଅଧ୍ୟକ୍ଷା ଅଲକା ଲାମ୍ବା ୨୦୧୩ରେ ନିଜ ଦଳ ଛାଡ଼ି ଆପରେ ଯୋଗ ଦେଇଥିଲେ । ୨୦୧୫ରେ ଚାନ୍ଦିନୀଚୌକ ଆସନରୁ ଲଢ଼ି ବିଧାୟିକା ହୋଇଥିଲେ । କିନ୍ତୁ ୨୦୧୯ରେ ଆପରୁ ଇସ୍ତଫା ଦେଇ ଘର ବାହୁଡ଼ା କରିଥିଲେ ।
ତେବେ ଏଠାରେ କହି ରଖୁଛୁ ଯେ ଫେବୃୟାରୀ ୫ ତାରିଖରେ ଦିଲ୍ଲୀ ବିଧାନସଭା ପାଇଁ ମତଦାନ ହେବ ଓ ଫେବୃଆରୀ ୮ରେ ଫଳାଫଳ ପ୍ରକାଶ ପାଇବ । ଜାନୁଆରୀ ୧୭ ନାମାଙ୍କନର ଶେଷ ତାରିଖ ରହିଛି । ସେହିପରି ଜାନୁଆରୀ ୧୮ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ଅନିଚ୍ଛୁକ ପ୍ରାର୍ଥୀମାନେ ଜାନୁଆରୀ ୨୦ରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବେ ।