ନୂଆଦିଲ୍ଲୀ: ଆଜିକାଲି ଭାରତ ସୀମା ନିକଟରେ ଚୀନ୍ ନିଜର ସାମରିକ ଭିତ୍ତିଭୂମିକୁ ଖୁବ୍ ଦ୍ରୁତ ଗତିରେ ସୁଦୃଢ଼ କରୁଛି। ନିକଟରେ ଏକ ସାଟେଲାଇଟ୍ ଫଟୋରୁ ଜଣାପଡିଛି ଯେ ଚୀନ୍ ଅକ୍ସାଇ ଚୀନ୍ ନିକଟବର୍ତ୍ତୀ ନିଜର ଦୁଇଟି ବେସାମରିକ ବିମାନବନ୍ଦରକୁ ଚୀନ୍ ବାୟୁସେନାର ଏୟାରବେସ୍ରେ ପରିଣତ କରୁଛି। ଉଭୟ ବିମାନବନ୍ଦରର ପୁନଃନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ନୂଆ ଏୟାରଷ୍ଟ୍ରିପ୍ ନିର୍ମାଣ ସହ ଲଢୁଆ ଓ ଅନ୍ୟାନ୍ୟ ସାମରିକ ପରିବହନ ବିମାନ ପାଇଁ ବ୍ଲାଷ୍ଟ ପ୍ରୁଫ୍ ହ୍ୟାଙ୍ଗର ଓ ବଙ୍କର ନିର୍ମାଣ କରାଯାଉଛି। ପୁନଃବିକଶିତ ଦୁଇଟି ନିର୍ମାଣାଧୀନ ଏୟାରବେସକୁ ଭାରତ ବିରୋଧରେ ସାମରିକ ଅଭିଯାନ ପାଇଁ ବ୍ୟବହାର କରାଯାଇପାରେ ବୋଲି ଆଶଙ୍କା କରାଯାଉଛି।
ଓପନ୍ ସୋର୍ସ ଇଣ୍ଟେଲିଜେନ୍ସ @detresfa_ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରକାଶିତ ଏକ ପୋଷ୍ଟରେ କୁହାଯାଇଛି ଯେ, ଚୀନ୍ ଅକ୍ସାଇ ଚୀନ୍ ର ଉତ୍ତରରେ ଥିବା ଦୁଇଟି ବେସାମରିକ ବିମାନବନ୍ଦରର ପୁନଃବିକାଶ କରୁଛି। ଏହି ପଦକ୍ଷେପ ଦ୍ୱାରା ଜିନଜିଆଙ୍ଗ ପ୍ରଦେଶର ହୋତାନ ଏୟାରବେସ ଉପରେ ଅପରେସନ ବୋଝ ହ୍ରାସ ପାଇବ, ଯାହା ବର୍ତ୍ତମାନ ଭାରତ ସମ୍ମୁଖରେ ଥିବା ଚୀନର ପ୍ରାଥମିକ ସାମରିକ ଏୟାରବେସ ଅଟେ। ଏହା ଦ୍ୱାରା ପିଏଲଏର ଯୁଦ୍ଧକାଳୀନ ବିମାନ ମୁତୟନ ଏବଂ ବିସ୍ତାର କ୍ଷମତାରେ ଉନ୍ନତି ଆସିବ।
@detresfa_ ଏକ୍ସ ପୋଷ୍ଟ ଦ୍ୱାରା ସେୟାର କରାଯାଇଥିବା ସାଟେଲାଇଟ୍ ଫଟୋରେ ୟୁଟିଆନ୍ ୱାନଫାଙ୍ଗ ବିମାନବନ୍ଦର ଏବଂ ଶାଚେ ୟାର୍କାନ୍ତ ବିମାନବନ୍ଦରରେ ଚୀନ୍ର ପୁନଃବିକାଶ କାର୍ଯ୍ୟ ଦେଖିବାକୁ ମିଳୁଛି। ୟୁଟିଆନ୍ ୱାନଫାଙ୍ଗ ବିମାନବନ୍ଦର ଜିନଜିଆଙ୍ଗ ପ୍ରଦେଶର ହୋତାନ ପ୍ରିଫେକ୍ଚରର ୟୁଟିଆନ କାଉଣ୍ଟିରେ ଅବସ୍ଥିତ । ଏହି ବିମାନବନ୍ଦରର ଲମ୍ବ ୩୨,୦୦୦ ମିଟର ଏବଂ ଚଉଡ଼ା ୪୫ ମିଟର ରନୱେ ରହିଛି। ସେହିପରି ଟର୍ମିନାଲ ବିଲ୍ଡିଂ ଓ ୪ଟି ସାମରିକ ବିମାନର ପାର୍କିଂ ପାଇଁ ଆପ୍ରନ୍ ନିର୍ମାଣ କରାଯାଇଛି। ସେହିପରି ଶିନଜିଆଙ୍ଗ ଉଇଘୁର ସ୍ୱୟଂଶାସିତ ଅଞ୍ଚଳର କାଶଗର ପ୍ରଦେଶର ୟାର୍କାନ୍ତ କାଉଣ୍ଟିରେ ଶାଚେ ୟେର୍କିଆଙ୍ଗ ବିମାନବନ୍ଦର ରହିଛି।
ବର୍ତମାନ ଭାରତ ସୀମାରେ ଚୀନର ସବୁଠାରୁ ବଡ ଏୟାରବେସ ହୋତାନରେ ଅବସ୍ଥିତ, ଯେଉଁଠାରେ ଚୀନ ଜେ-୨୦ ଷ୍ଟିଲ୍ଥ ଏୟାରକ୍ରାଫ୍ଟ ମୁତୟନ କରିଛି । ତେବେ ସଂଘର୍ଷ ସମୟରେ ଭାରତ ସିଧାସଳଖ ହୋତାନ ଏୟାରବେସକୁ ଟାର୍ଗେଟ କରିପାରେ ବୋଲି ଚୀନ୍ ଆଶଙ୍କା କରୁଛି। ସେଥିପାଇଁ ଚୀନ୍ ବିଭିନ୍ନ ସ୍ଥାନରେ ଏୟାରବେସ୍ ର ଉନ୍ନତିକରଣ କରୁଛି। ଯାହା କି ଭାରତ ପାଇଁ ସମସ୍ୟା ପାଲଟିଛି।
ଅଧିକ ପଢ଼ନ୍ତୁ: ବିଳମ୍ବରେ ଗଡୁଛି ଟ୍ରେନ୍, ବିମାନ ଚଳାଚଳ ପ୍ରଭାବିତ