ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀ ଶୀତକୁ ଏବେ ଫିକା କରି ଦେଇଛି ରାଜନୈତିକ ପାଣିପାଗ । ବିଧାନସଭା ନିର୍ବାଚନ ପାଇଁ ଦିଲ୍ଲୀର ପାଣିପାଗ ଏବେ ବେଶ ସରଗରମ ରହିଛି । ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବ ତାକୁ ନେଇ ସାରା ଦେଶର ଦୃଷ୍ଟି ରହିଛି । ଏହାରି ମଧ୍ୟରେ ନୂଆ ଦିଲ୍ଲୀ ଆସନରୁ ଆଜି ଦୁଇ ଦଳର ପ୍ରତିଦ୍ୱନ୍ଦୀ ନାମାଙ୍କନ ଭରିଛନ୍ତି । ଆମ୍ ଆଦମୀ ପାର୍ଟି ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଏବଂ ଭାରତୀୟ ଜନତା ପାର୍ଟିର ନେତା ପ୍ରବେଶ ବର୍ମା ନାମାଙ୍କନ ଦାଖଲ କରିଛନ୍ତି । ଏକ ବିଶେଷ ମୁହୂର୍ତ୍ତରେ କେଜ୍ରିୱାଲଙ୍କ ନାମାଙ୍କନ ଦାଖଲକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।
ବୁଧବାର ଅପରାହ୍ନ ୧ ଟାରୁ ୨ ଟା ମଧ୍ୟର ଆଶାୟୀ ପ୍ରତିଦ୍ୱନ୍ଦୀମାନେ ନାମାଙ୍କନ ଭରିଛନ୍ତି । ଯାହା ପଛରେ ଜ୍ୟୋତିଷ ବିଜ୍ଞାନର ହାତ ଥିବା କୁହାଯାଉଛି । ଜ୍ୟୋତିର୍ବିଦ ପଣ୍ଡିତ ବେଦ ପ୍ରକାଶ ମିଶ୍ରାଙ୍କ ଅନୁସାରେ ଏହି ସମୟ ବିଜୟ ମୁହୂର୍ତ୍ତ ଥିଲା, ଯାହାକି ଅତ୍ୟନ୍ତ ଖାସ ଅଟେ । ସେ କହିଛନ୍ତି ଆଜିଠାରୁ ମାଘ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥି ଅଟେ । କେନ୍ଦ୍ରରେ ବୃହସ୍ପତି ରହିଛି ଏବଂ ବୃଷ ଲଗ୍ନ, ଯାହାକୁ ସ୍ଥିର ଲଗ୍ନ ବୋଲି କୁହାଯାଇଥାଏ । ଆଉ ଏହି ଲଗ୍ନରେ କରାଯିବା କାର୍ଯ୍ୟ କେବେ ଅସଫଳ ହୁଏ ନାହିଁ ବୋଲି ପଣ୍ଡିତ ବେଦ ପ୍ରକାଶ ମିଶ୍ରା ଦାବି କରିଛନ୍ତି । ଆଉ ଗ୍ରହର ଅବସ୍ଥିତି ପ୍ରତିଦ୍ୱନ୍ଦୀଙ୍କ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ ।
ଜ୍ୟୋତିର୍ବିଦ ଶ୍ରୀଯୁକ୍ତଙ୍କ ମତରେ, ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥିବାବେଳେ ଉତ୍ତରାୟଣ ମଧ୍ୟ ଆରମ୍ଭ ହୋଇଛି । ଖର ମାସ ଚାଲି ଯାଇଥିବାବେଳେ ମହାକୁମ୍ଭ ଭଳି ପବିତ୍ର ପର୍ବ ମଧ୍ୟ ଚାଲିଛି । କିନ୍ତୁ ନାମାଙ୍କନ କରିବାକୁ ଥିବା ବ୍ୟକ୍ତିମାନଙ୍କର ଗ୍ରହ ଏହି ଅନୁସାରେ ଅନୁଗୁଳ ହେବା ଦରକାର ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ନାମାଙ୍କନ ଭରିବା ପୂର୍ବରୁ କେଜ୍ରିୱାଲ ବାଲ୍ମୀକି ଏବଂ ହନୁମାନ ମନ୍ଦିର ଯାଇ ଦର୍ଶନ କରିଛନ୍ତି । ସେହିପରି ପ୍ରବେଶ ବର୍ମା ମଧ୍ୟ ବାଲ୍ମୀକି ମନ୍ଦିର ଯାଇ ଦର୍ଶନ କରିବା ସହିତ ଦିଲ୍ଲୀର ସଫେଇ କର୍ମଚାରୀଙ୍କୁ ନିଜ ହାତରେ ଜୋତା ପିନ୍ଧାଇ ଦେଇ ଆର୍ଶୀବାଦ ଗ୍ରହଣ କରିଥିଲେ । ଏହା ପରେ ଶୋଭାଯାତ୍ରା କରି ନାମାଙ୍କନ ଭରିବାକୁ ଆସିଥିଲେ । ତାଙ୍କ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପାଣ୍ଡା ମଧ୍ୟ ଉପସ୍ଥିତ ଥିଲେ ।