ଢାକା: ବାଂଲାଦେଶର ପୂର୍ବତନ ଅଧିନାୟକ ତମିମ ଇକବାଲ ଶୁକ୍ରବାର ରାତିରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଫେବ୍ରୁଆରି ୧୯ରୁ ଆରମ୍ଭ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ପାଇଁ ବାଂଲାଦେଶ ଦଳ ପ୍ରସ୍ତୁତ କରୁଥିବା ଜାତୀୟ ଚୟନ ସମିତିକୁ ନିକଟରେ ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ଭେଟିଥିଲେ। ଚୟନକର୍ତ୍ତାଙ୍କ ସହ କଥା ହେବା ପରେ ସେ ଅବସର ନେବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି।
ତାମିମ୍ ଶୁକ୍ରବାର ଏକ ଫେସ୍ ବୁକ୍ ପୋଷ୍ଟରେ ଲେଖିଛନ୍ତି, 'ମୁଁ କିଛି ସମୟ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ଠାରୁ ଦୂରରେ ଅଛି ଏବଂ ଏହି ବ୍ୟବଧାନ କମିବ ନାହିଁ। ଅନ୍ତର୍ଜାତୀୟ କ୍ରିକେଟରେ ମୋର ଅଧ୍ୟାୟ ଶେଷ ହୋଇଛି। ମୁଁ କିଛି ଦିନ ହେବ ଏହା ବିଷୟରେ ଚିନ୍ତା କରୁଛି ଏବଂ ଚାମ୍ପିୟନ୍ସ ଟ୍ରଫି କାରଣରୁ ମୁଁ ଚାହୁଁନାହିଁ ଯେ ଦଳ ମୋ ବିଷୟରେ ଆଲୋଚନାରେ ବିଭ୍ରାନ୍ତ ହେଉ। ସେଥିପାଇଁ ମୁଁ ବହୁ ପୂର୍ବରୁ ଜାତୀୟ ଚୁକ୍ତିରୁ ଇସ୍ତଫା ଦେଇଥିଲି। ଯେଉଁ ଖେଳାଳି ବର୍ଷେ ଧରି ବିସିବି ଚୁକ୍ତିରେ ନାହାନ୍ତି, ତାଙ୍କ ପାଇଁ ଚାମ୍ପିୟନ୍ସ ଟ୍ରଫିରେ ଚୟନ ହେବାର କୌଣସି ଅର୍ଥ ନାହିଁ। ପ୍ରତ୍ୟେକ କ୍ରିକେଟରଙ୍କର ନିଜର ଭବିଷ୍ୟତ ନିର୍ଦ୍ଧାରଣ କରିବାର ଅଧିକାର ରହିଛି। ମୁଁ ଭାବୁଛି ସମୟ ଆସିଯାଇଛି।
ସୂଚନାଯୋଗ୍ୟ, ଜୁଲାଇ ୨୦୨୩ରେ ଭାରତ ଦ୍ୱାରା ଆୟୋଜନ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ପୂର୍ବରୁ ତମିମ ଇକବାଲ ଅବସର ନେଇଥିଲେ। କିନ୍ତୁ ପୂର୍ବତନ ଅଧିନାୟକ ତଥା ମଶରଫି ମୋର୍ତାଜା ଏବଂ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବୁଝାମଣା ପରେ ତାଙ୍କୁ ଅବସର ନିଷ୍ପତ୍ତିରୁ ୟୁ-ଟର୍ଣ୍ଣ ନେବାକୁ ପଡ଼ିଥିଲା।
ବାମହାତୀ ବ୍ୟାଟ୍ସମ୍ୟାନ୍ ତମିମ୍ ଇକବାଲ ୨୦୦୭ ଫେବ୍ରୁଆରିରେ ଦିନିକିଆ ପଦାର୍ପଣ କରି ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ୱେଷ୍ଟଇଣ୍ଡିଜରେ ଖେଳାଯାଇଥିବା ବିଶ୍ୱକପରେ ଭାରତ ବିପକ୍ଷ ବିଜୟରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପ୍ରଥମ ମ୍ୟାଚ୍ ରେ ସେ ମ୍ୟାଚ୍ ବିଜୟୀ ଅର୍ଦ୍ଧଶତକ ହାସଲ କରିଥିଲେ। ତମିମ ଇକବାଲ ଦିନିକିଆ (୮୩୧୩) ଏବଂ ଶତକ (୧୪)ରେ ନିଜ ଦେଶ ପାଇଁ ସର୍ବାଧିକ ସ୍କୋରର ହୋଇଛନ୍ତି।
ଅଧିକ ପଢ଼ନ୍ତୁ: ପ୍ରେମାନନ୍ଦଜୀ ମହାରାଜଙ୍କ ଦର୍ଶନ କଲେ ବିରାଟ-ଅନୁଷ୍କା