ଭୁବନେଶ୍ୱର: ଆଜି ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ୭୬ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ସମାରୋହରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚମ୍ପିୟନ ହୋଇଥିବା ଓଏସଏପି ୪ର୍ଥ ବାଟାଲିୟନ ରାଉରକେଲା ଦଳକୁ ଟ୍ରଫି ପ୍ରଦାନ କରିଛନ୍ତି । ଏହା ସହ ରନର୍ସ ଅପ୍ ହୋଇଥିବା ରାଉରକେଲା ପୋଲିସ ଜିଲ୍ଲା ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଓଏସଏପି ଷଷ୍ଠ ବାଟାଲିୟନ କଟକ ଦଳକୁ ପୁରସ୍କୃତ କରିଛନ୍ତି ।
ଏହି ଅବସରରେ ମୁଖ୍ୟ ଅତିଥି ବିଜେତା ଦଳକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ରନର୍ସ-ଅପ୍ ଏବଂ ଅନ୍ୟ ସମସ୍ତ ଅଂଶଗ୍ରହଣକାରୀ ଦଳର ସଦସ୍ୟମାନଙ୍କ ସମର୍ପଣ ଏବଂ ମନୋବଳକୁ ଉଚ୍ଚ ପ୍ରଶଂସା କରିଥିଲେ । ସମସ୍ତ ଖେଳାଳି, ପ୍ରଶିକ୍ଷକ ଏବଂ ଆୟୋଜକଗଣ ଏହି ପୋଲିସ ହକି ଚାମ୍ପିୟନସିପକୁ ସ୍ମରଣୀୟ କରିବାରେ ସେମାନଙ୍କର ପ୍ରୟାସ ପାଇଁ ଅଭିନନ୍ଦନ ଜଣାଇଥିଲେ ।
ହକି ଚାମ୍ପିୟନସିପ୍-୨୦୨୬ ଗତ ୨୧ ରୁ ୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଚମ୍ପିୟନସିପ୍ରେ ବିଭିନ୍ନ ଜିଲ୍ଲା, ବାଟାଲିୟନ ଓ ପୋଲିସ ଏଷ୍ଟାବ୍ଲିସମେଣ୍ଟରୁ ୧୮ଟି ପୋଲିସ ଦଳ ଏବଂ ପ୍ରାୟ ୩୬୦ ଜଣ କ୍ରୀଡ଼ାବିତ ଅଂଶଗ୍ରହଣ କରିଥିଲେ। ଆଜି ସନ୍ଧ୍ୟା ସମୟରେ ଓଏସଏପି ୪ର୍ଥ ବାଟାଲିୟନ, ରାଉରକେଲା ଓ ରାଉରକେଲା ପୋଲିସ ଜିଲ୍ଲା ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଓଏସଏପି ୪ର୍ଥ ବାଟାଲିୟନ, ରାଉରକେଲା ଟିମ ପେନାଲ୍ଟି ସୁଟ୍ଆଉଟ୍ରେ ୩-୨ ଗୋଲ ବ୍ୟବଧାନରେ ରାଉରକେଲା ପୋଲିସ ଜିଲ୍ଲା ଟିମକୁ ପରାସ୍ତ କରି ବିଜେତା ହୋଇଛି ।
ଏହି ଚାମ୍ପିୟନସିପରେ ଶ୍ରେଷ୍ଠ ଗୋଲକିପର ଭାବେ ଓଏସଏପି ୪ର୍ଥ ବାଟାଲିୟନ ରାଉରକେଲାର ସୁଶାନ୍ତ କୁମାର ସିଂ, ଶ୍ରେଷ୍ଠ ଡିଫେଣ୍ଡର ଭାବେ ସୁନ୍ଦରଗଡ଼ ପୋଲିସ ଜିଲ୍ଲାର ଉପେନ୍ଦ୍ର ମାଝୀ, ଶ୍ରେଷ୍ଠ ମିଡ୍ଫିଲ୍ଡର ଭାବେ ଓଏସଏପି ଷଷ୍ଠ ବାଟାଲିୟନ, କଟକର ସୁଧୀର ବାର୍ଲା, ଶ୍ରେଷ୍ଠ ସ୍କୋରର ଭାବେ ରାଉରକେଲା ପୋଲିସ ଜିଲ୍ଲାର ସତ୍ୟାନନ୍ଦ ସାହୁ, ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ରାଉରକେଲା ପୋଲିସ ଜିଲ୍ଲାର ଅରୁଣ ମହନ୍ତ ଏବଂ ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ରାଉରକେଲା ପୋଲିସ ଜିଲ୍ଲାର ବିଜୟ ଲାକ୍ରାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
ଏହି ଉଦଯାପନୀ ଉତ୍ସବରେ ପୋଲିସ କମିଶନର ଡଃ ଏସ୍. ଦେବଦତ୍ତ ସିଂ, ଏସ୍ଏପି ଏଡିଜିପି ରାଜେଶ କୁମାର, ମୁଖ୍ୟାଳୟ ଏଡିଜିପି ପ୍ରତୀକ ମହାନ୍ତି, ଆଇଜିପି (କାର୍ମିକ) ପ୍ରବୀଣ କୁମାର, ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳ, ଆଇଜିପି (କ୍ରାଇମବ୍ରାଞ୍ଚ) ଡ଼ା. ସାର୍ଥକ ଷଡ଼ଙ୍ଗୀ, ଆଇଜିପି (ପ୍ରୋଭିଜନିଂ) ନୀତି ଶେଖର, ଆଇଜିପି (କେନ୍ଦ୍ରାଞ୍ଚଳ) ଡ଼ା. ସତ୍ୟଜିତ ନାଏକ, ସପ୍ତମ ବାଟାଲିୟନ୍ କମାଣ୍ଡାଣ୍ଟ ପ୍ରଫୁଲ୍ଲ ସିଂ, ରାଜ୍ୟ ପୋଲିସ ମୁଖ୍ୟାଳୟର କ୍ରୀଡ଼ା ଅଧିକାରୀ ନୀଳମାଧବ ସ୍ୱାଇଁଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।