ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହେବ । ଏଥିପାଇଁ ଶନିବାର ଭାରତୀୟ ଦଳ ଘୋଷଣା କରାଯାଇଛି । ସୂର୍ଯ୍ୟକୁମାର ଯାଦବ ଅଧିନାୟକତ୍ୱ ଭାର ସମ୍ଭାଳୁଥିବା ବେଳେ ଅନୁଭବୀ ସ୍ପିନ ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି । ଦୀର୍ଘ ମାସ ପରେ ଅନୁଭବୀ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ ଘଟିଛି ।
ସେହିପରି ସଞ୍ଜୁ ସାମସନ, ଅଭିଷେକ ଶର୍ମା, ତିଳକ ବର୍ମା ଓ ବରୁଣ ଚକ୍ରବର୍ତ୍ତୀ ସ୍ୱାଭାବିକ ଭାବେ ଦଳରେ ନିଜର ସ୍ଥାନ ବଜାୟ ରଖିଛନ୍ତି । ଅର୍ଶଦୀପ ସିଂ ଓ ହର୍ଷିତ ରାଣାଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି । ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ଓ ଚାମ୍ପିଅନ୍ସ ଟ୍ରଫି ପାଇଁ ପରେ ଭାରତୀୟ ଦଳ ଘୋଷଣା କରାଯିବ । ଉଲ୍ଲେଖନୀୟ ଆହତଜନିତ ସମସ୍ୟା କାରଣରୁ ଦୀର୍ଘ ସମୟ ଭାରତୀୟ ଦଳରୁ ବାହାରେ ଥିବା ମହମ୍ମଦ ଶାମି ଦଳକୁ ଫେରିଛନ୍ତି । ଆହତ ସମସ୍ୟାରୁ ମୁକୁଳିବା ପରେ ଘରୋଇ କ୍ରିକେଟରେ ତାଙ୍କର ପ୍ରଭାବଶାଳୀ ପ୍ରଦର୍ଶନ ତାଙ୍କୁ ଦଳରେ ରଖିବାକୁ ବାଧ୍ୟ କରିଛି ।
ଭାରତର ଘାତକ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଓ ରବି ବିଷ୍ଣୋଇଙ୍କୁ ଦଳରେ ସୁଯୋଗ ମିଳିଛି । ୱାଶିଂଟନ ସୁନ୍ଦରଙ୍କୁ ମଧ୍ୟ ଦଳରେ ସୁଯୋଗ ମିଳିଛି । ରିଙ୍କୁ ସିଂ, ତିଳକ ବର୍ମା ଓ ହର୍ଷିତ ରାଣାଙ୍କୁ ସ୍ୱାଭାବିକ ଭାବେ ଦଳରେ ସ୍ଥାନ ମିଳିଛି ।
ବିସିସିଆଇ ଶୁଭମନ ଗିଲ୍ ଓ ଋଷଭ ପନ୍ତଙ୍କୁ ଟି-୨୦ ସିରିଜ୍ ପାଇଁ ଦଳରୁ ବିଶ୍ରାମ ଦେଇଛି । ମାତ୍ର ଦିନିକିଆ ଦଳ ଓ ଚାମ୍ପିଅନ୍ସ ଟ୍ରଫି ପାଇଁ ଉଭୟ ଖେଳାଳିଙ୍କୁ ସ୍ଥାନ ମିଳିପାରେ । ତେବେ ଯଶସ୍ୱୀ ଜୟସ୍ୱାଲଙ୍କୁ ଟି-୨୦ ଦଳରେ ସ୍ଥାନ ମିଳିନି ।
ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ
ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ସଞ୍ଜୁ ସାମସନ(ୱିକେଟ୍ କିପର), ଅଭିଷେକ ଶର୍ମା, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ୍(ଉପ ଅଧିନାୟକ), ହର୍ଷିତ ରାଣା, ଅର୍ଶଦୀପ ସିଂ, ମହମ୍ମଦ ଶାମି, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ୱାଶିଂଟନ ସୁନ୍ଦର, ଧ୍ରୁବ ଜୁରେଲ(ୱିକେଟ୍ କିପର) ।