ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରେ ବଡ଼ ବିପର୍ୟ୍ୟୟ । ଆଫଗାନିସ୍ତାନ ପରି ଶକ୍ତିଶାଳୀ ଦଳକୁ ଦିନିକିଆରେ ଧୂଳି ଚଟାଇଛି ଆଫଗାନିସ୍ତାନ। ଦକ୍ଷିଣ ଆଫ୍ରିକାକୁ ହରାଇ ନିଜ ପରାଜୟର ଧାରା ଭାଙ୍ଗିଛି ଆଫଗାନିସ୍ତାନ। ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୀମିତ ଓଭର କ୍ରିକେଟ ପ୍ରଥମ ଥର ବିଜୟ ହାସଲ କରିଛି। ଏ ପର୍ୟ୍ୟନ୍ତ ଆଫଗାନିସ୍ତାନ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ଟି ଟି-୨୦ ଅନ୍ତର୍ଜାତୀୟ ଓ ଦିନିକିଆ ମ୍ୟାଚ୍ ଖେଳା ଯାଇଛି। ସବୁ ଥର ଦକ୍ଷିଣ ଆଫ୍ରିକା ବାଜି ମାରି ଆସିଥିଲା। କିନ୍ତୁ ଏବେ ଏହି ପରାଜୟର ଧାରା ଭାଙ୍ଗିବାରେ ସଫଳ ହୋଇଛି ଆଫଗାନିସ୍ତାନ। ଆଉ ଏହି ଐତିହାସିକ ବିଜୟର ବିନ୍ଧାଣି ସାଜିଛନ୍ତି ବୋଲର ।
ସାରଜାରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପ୍ରଥମ ମ୍ୟାଚ୍ ଦୁଇ ଦଳ ମଧ୍ୟରେ ଖେଳା ଯାଇଛି। ଆଫଗାନିସ୍ତାନ ବୋଲରଙ୍କ ଉଚିତ୍ ମୁକାବିଲା କରି ନ ପାରି ଦକ୍ଷିଣ ଆଫ୍ରିକା ୧୦୬ ରନରେ ଅଲଆଉଟ୍ ହୋଇଥିଲା । ଜବାବରେ ଆଫଗାନିସ୍ତାନ ୨୬ ଓଭରରେ ୪ ଓ୍ଵିକେଟ୍ ହରାଇ ବିଜୟ ହାସଲ କରି ଇତିହାସ ରଚିଛି। ଫଜଲହକ ଫାରୁକି ଓ ଆଲ୍ଲା ଗଜନଫର ଘାତକ ବୋଲିଂ କରି ଦଳ ବିଜୟରେ ମୁଖ୍ୟ ବିନ୍ଧାଣି ସାରଜିଛନ୍ତି। ବ୍ୟାଟିଂରେ ଗୁଲବଦୀନ ନାଏବ ୩୪ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି।
ଆଡନ ମାରକ୍ରମଙ୍କ ନେତୃତ୍ଵାଧୀନ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ଆଫଗାନିସ୍ତାନ ବୋଲରଙ୍କ ଘାତକ ବୋଲିଂର ମୁକାବିଲା କରି ନ ପାରି ୩୩.୩ ଓଭରରେ ୧୦୬ ରନରେ ଅଲଆଉଟ୍ ହୋଇଥିଲା। ଓ୍ଵିୟାନ ମୁଲଡର ଏକ ମାତ୍ର ବ୍ୟାଟର ଭାବେ ୫୨ ରନର ଇନିଂସ ଖେଳିବାରୁ ଦଳର ସ୍କୋର ସମ୍ମାନଜକ ସ୍ଥିତିରେ ପହଞ୍ଚିଥିଲା । ଅନ୍ୟ ବ୍ୟାଟର ଦୟନୀୟ ପ୍ରଦର୍ଶନ କରି କ୍ରିଜରେ ତିଷ୍ଠି ପାରି ନ ଥିଲେ। ଆଫଗାନିସ୍ତାନ ପକ୍ଷରୁ ବ୍ୟାଟିଂରେ ଗୁଲବଦିନ ନାଏବ ୨୭ ବଲରୁ ଦ୍ରୁତ ୩୪ ରନ ଏବଂ ଅଜମତୁଲ୍ଲା ଉମରଜାଇ ୨୫ ରନର ଅପରାଜିତ ଇନିଂସ ଖେଳି ଦଳକୁ ଜିତାଇଛନ୍ତି ।
ବୋଲିଂରେ ଆଫଗାନିସ୍ତାନ ପକ୍ଷରୁ ଫଜଲହକ ଫାରୁକି ୭ ଓଭରରେ ୩୫ ରନ ଦେଇ ୪ ଓ୍ଵିକେଟ୍ ଅକ୍ତିକାର କରିଥିବା ବେଳେ ଆଲ୍ଲା ଗଜନପର ୧୦ ଓଭରରେ ୨୦ ରନ ଦେଇ ୩ ଓ୍ଵିକେଟ୍ ନେଇଛନ୍ତି। ରଶିଦ ଖାନ ୮.୩ ଓଭରରେ ୩୦ ରନ ଦେଇ ୨ ଓ୍ଵିକେଟ୍ ଦାଖଲ କରିଛନ୍ତି। ଏହି ପରାଜୟ ଦକ୍ଷିଣ ଆଫ୍ରିକା ଶିବିରକୁ ସ୍ତବ୍ଧ କରିଥିବା ବେଳେ ଆଫଗାନିସ୍ତାନ ଶିବିର ଉତ୍ସବ ମୁଖର ହୋଇ ଉଠିଛି ।