ନୂଆଦିଲ୍ଲୀ: ଭାରତ ଏ ଓ ଅଷ୍ଟ୍ରେଲିଆ ଏ ମଧ୍ୟରେ ଦ୍ୱିତୀୟ ଅନଅଫିସିଆଲ ଟେଷ୍ଟ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ । ଭାରତ ଏ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୫ ୱିକେଟ୍ ହରାଇ ୭୩ ରନ କରିଛି । ଏହିପରି ଭାରତ ଏ ୧୧ ରନର ଅଗ୍ରଣୀ ହାସଲ କରିଛି । ଦଳ ପକ୍ଷରୁ ନୀତିଶ କୁମାର ରେଡ୍ଡୀ ଓ ଧ୍ରୁବ ଜୁରେଲ ଅପରାଜିତ ଅଛନ୍ତି । ତେବେ ଏହା ପୂର୍ବରୁ କେଏଲ ରାହୁଲ, ଅଭିମନ୍ୟୁ ଈଶ୍ୱରନ, ଋତୁରାଜ ଗାଏକ୍ୱାଡ, ଦେବଦତ୍ତ ପାଡିକଲ ଓ ସାଇ ସୁଦର୍ଶନଙ୍କ ପରି ବ୍ୟାଟର ଦଳକୁ ନିରାଶ କରିଛନ୍ତି । ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଭାରତୀୟ ବ୍ୟାଟର ଲଗାତାର ଫ୍ଲପ୍ ହେବା ଦଳ ପାଇଁ ଶୁଭ ସଙ୍କେତ ନୁହେଁ । ବିଶେଷ କରି କେଏଲ ରାହୁଲଙ୍କ ଖରାପ ଫର୍ମ ଭାରତୀୟ ଦଳ ପ୍ରବନ୍ଧକଙ୍କ ଚିନ୍ତାକୁ ଆହୁରି ବଢାଇ ଦେଇଛି ।
କେଏଲ ରାହୁଲ ଦ୍ୱିତୀୟ ଇନିଂସରେ ବି ନିରାଶ କରିଛନ୍ତି ।ସେ ୪୪ ବଲର ସମ୍ମୁଖୀନ ହୋଇ ମାତ୍ର ୧୦ ରନ କରି ଆଉଟ୍ ହୋଇଛନ୍ତି । ଏହା ପୂର୍ବରୁ ଏହି ୱିକେଟ୍ କିପର ବ୍ୟାଟର ପ୍ରଥମ ଇନିଂସରେ ମାତ୍ର ୪ ରନ କରି ଆଉଟ୍ ହୋଇଥିଲେ । ଏହି ପରି ଏହି ଟେଷ୍ଟରେ କେଏଲ ଉଭୟ ଇନିଂସକୁ ମିଶାଇ କେବଳ ୧୪ ରନ କରି ପାରିଛନ୍ତି । ଏବେ ପ୍ରଶ୍ନ ଉଠୁଛି ଯେ, ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ କେଏଲଙ୍କୁ ସୁଯୋଗ ମିଳିବ କି ନାହିଁ ? କେଏଲ ରାହୁଲ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ବି ସଂପୂର୍ଣ୍ଣ ଫେଲ୍ ମାରିଥିଲେ । କୁହାଯାଉଥିଲା, ବର୍ଡର-ଗାଭାସ୍କର ଟ୍ରଫିରେ କେଏଲ ରାହୁଲ ଭାରତୀୟ ଦଳର ଓପନର ହୋଇ ପାରନ୍ତି । ମାତ୍ର ତାଙ୍କର ଖରାଫ ଫର୍ମ ଚିନ୍ତାର କାରଣ ପାଲଟିଛି ।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ନଭେମ୍ବର ୨୨ରୁ ଖେଳାଯିବ । ଗତ ଦିନରେ ଏହି ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ସିରିଜରେ ରୋହିତ ଶର୍ମା ଦଳର ନେତୃତ୍ୱ ନେଉଥିବା ବେଳେ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ ।