ନୂଆଦିଲ୍ଲୀ: ଦିନ ଗଡିବା ସହିତ ଚମ୍ପିଆନ୍ସ ଟ୍ରଫି ନିକଟତର ହେବାକୁ ଯାଉଛି । ମାତ୍ର ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ ଯେ, ଟୁର୍ଣ୍ଣାମେଣ୍ଟରେ ଭାରତ ଅଂଶ ଗ୍ରହଣ କରିବ କି ନାହିଁ । ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଗସ୍ତ କରିବା ପାଇଁ ଏ ପର୍ଯ୍ୟନ୍ତ ରାଜି ହୋଇ ନାହିଁ । ସ୍ଥିତିକୁ ଦୃଷ୍ଟିରେ ରଖି ଏବେ ପାକିସ୍ତାନ କ୍ରିକେଟ୍ ବୋର୍ଡ ନରମିଥିବାର ସଙ୍କେତ ଦେଇଛି ।
କାରଣ ପାକିସ୍ତାନ କ୍ରିକେଟ୍ ବୋର୍ଡ ନିଜ ଜିଦରେ ଅଟଳ ଥିଲା ଯେ, ଭାରତ ସହିତ ସମସ୍ତ ଦଳ ପାକିସ୍ତାନରେ ହିଁ ଚାମ୍ପିଅନ୍ସ ଟ୍ରଫି ଖେଳିବ । କାରଣ ପାକିସ୍ତାନକୁ ଆୟୋଜନର ଅଧିକାର ମିଳିଛି । କିନ୍ତୁ ଏବେ ଭାରତୀୟ ଦଳର ଆଭିମୁଖ୍ୟ ଦେଖି ପାକିସ୍ତାନ ବୋର୍ଡ ନିଜ ଆୟୋଜନରେ କିଛିଟା ପରିବର୍ତ୍ତନ କରିବାକୁ ସଙ୍କେତ ଦେଇଛି ।
ପିସିବି ମତରେ ଯଦି ଭାରତ ସରକାର ପାକିସ୍ତାନ ଗସ୍ତ ପାଇଁ ଟିମ୍ ଇଣ୍ଡିଆକୁ ମଞ୍ଜୁରୀ ନ ଦିଏ ତେବେ କାର୍ଯ୍ୟସୂଚୀରେ କିଛିଟା ପରିବର୍ତ୍ତନ କରାଯିବ । ତେଣୁ ପୂରା ସମ୍ଭାବନା ଯେ, ଭାରତ ନିଜର ସମସ୍ତ ମ୍ୟାଚ୍ ଦୁବାଇ କିମ୍ବା ସାରଜାରେ ଖେଳିବ । ଅନ୍ୟପଟେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଆଇସିସି ନିକଟରେ ଶୀଘ୍ର କ୍ରୀଡାସୂଚୀ ଜାରି କରିବାକୁ ଦାବି କରିଛି । ପିସିବି ଏହା ମଧ୍ୟ ଜୋର ଦେଉଛି ଯେ, ଯେଉଁ କ୍ରୀଡାସୂଚୀ ସେ ଜାରି କରିଛି ତାହାକୁ ଆଇସିସି ଆନୁଷ୍ଠାନିକ ଭାବେ ଘୋଷଣା କରୁ ।
ତେବେ ହାଇବ୍ରିଡ ମୋଡେଲକୁ ନେଇ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ । ୨୦୨୩ ଏସିଆ କପରେ ମଧ୍ୟ ହାଇବ୍ରିଡ ମୋଡେଲ୍ ଆପଣା ଯାଇଥିଲା । ଭାରତ ପାକିସ୍ତାନ ଯିବାକୁ ରାଜି ନ ହେବାରୁ ହାଇବ୍ରିଡ ମୋଡେଲ୍ ଆଧାରରେ ଭାରତ ନିଜର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳା ଯାଇଥିଲା । ଯଦି ଏମିତି ହୁଏ ତେବେ ଭାରତ ଚାମ୍ପିଅନ୍ସ ଟ୍ରଫିରେ ନିଜର ସମସ୍ତ ମ୍ୟାଚ୍ ଦୁବାଇ ଓ ସାରଜାରେ ଖେଳି ପାରେ ।