ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ସ୍ୱଦେଶରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ କ୍ଲିନ ସୁଇପ୍ ହେବା ପରେ ଏବେ ପ୍ରଶ୍ନ ଘେରରେ ଭାରତୀୟ କ୍ରିକେଟ୍ ଦଳ । ଶୁକ୍ରବାର ସନ୍ଧ୍ୟାରେ ଏକ ରିପୋର୍ଟ ଆସିଛି ଯେଉଁଥିରେ ବିସିସିଆଇ ପରାଜୟର ସମୀକ୍ଷା କରିଛି । ଏହି ସମୟରେ ବୈଠକରେ ଅଧିନାୟକ ରୋହିତ ଶର୍ମା, ଚୟନ କମିଟିର ଅଧ୍ୟକ୍ଷ ଅଜିତ ଅଗକର ଓ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ସହିତ ବିସିସିଆଇ ସଚିବ ଜୟ ଶାହ ଓ ଅଧ୍ୟକ୍ଷ ରୋଜର ବିନ୍ନି ଉପସ୍ଥିତ ଥିଲେ । ଅନଲାଇନ ଜରିଆରେ ଗମ୍ଭୀର ବୈଠକରେ ଯୋଗ ଦେଇଥିଲେ ।
ଏଥିରେ ମୁମ୍ବାଇ ଟେଷ୍ଟରେ ଟର୍ଣ୍ଣିଂ ପିଚର ଚୟନ କରିବା, ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦେବା ଓ ଗମ୍ଭୀରଙ୍କ କୋଚିଂ ଶୈଳୀ ଉପରେ ଆଲୋଚନା ହୋଇଛି । ରିପୋର୍ଟରୁ ଏହା ଜଣା ପଡିଛି ଯେ, ଯଦି ବର୍ଡର-ଗାଭାସ୍କର ଟ୍ରଫିରେ ଭାରତୀୟ ଦଳ ଶୋଚନୀୟ ଭାବେ ପରାଜିତ ହୁଏ ତେବେ ଗମ୍ଭୀରଙ୍କୁ ଟେଷ୍ଟ ଦଳର ମୁଖ୍ୟ କୋଚ୍ ପଦରୁ ବରଖାସ୍ତ କରାଯିବ ।
ଦୈନିକ ଜାଗରଣର ରିପୋର୍ଟ ଅନୁଯାୟୀ, ଯଦି ଭାରତ ଅଷ୍ଟ୍ରେଲିଆ ମାଟିରେ ସିରିଜରେ ଶୋଚନୀୟ ପ୍ରଦର୍ଶନ କରେ ତେବେ ବିସିସିଆଇ ଟେଷ୍ଟ ଓ ସୀମିତ ଓଭର କ୍ରିକେଟ୍ ପାଇଁ ଅଲଗା ଅଲାଗ କୋଚ୍ ରଖିବା ରଣନୀତି ଆପଣେଇପାରେ । ଯଦି ଗମ୍ଭୀରଙ୍କଠୁ ଟେଷ୍ଟ ଦଳର ଦାୟିତ୍ୱ ଛଡାଇ ନିଆଗଲେ ତାଙ୍କ ସ୍ଥାନରେ ଏନସିଏର ନିର୍ଦ୍ଦେଶକ ଭିଭିଏସ ଲକ୍ଷ୍ମଣଙ୍କୁ ଏହି ଦାୟିତ୍ୱ ଦିଆଯାଇପାରେ ।
ରାହୁଲ ଦ୍ରାବିଡଙ୍କ କୋଚିଂ ସମୟରେ ଯେତେବେଳ ଦ୍ରାବିଡ ବିଶ୍ରାମ ନିଅନ୍ତି ସେହି ସମୟରେ ଭିଭିଏସ ଲକ୍ଷ୍ମଣ ମୁଖ୍ୟ କୋଚ୍ ଦାୟିତ୍ୱ ନିର୍ବାହ କରିଥାନ୍ତି । ଏବେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦକ୍ଷିଣ ଆଫ୍ରିକା ଗସ୍ତରେ ରହିଛି । ଆଉ ଲକ୍ଷ୍ମଣ ଦଳର ମୁଖ୍ୟ କୋଚ୍ ଦାୟିତ୍ୱ ନେଇଛନ୍ତି । ଅନ୍ୟପଟେ ନଭେମ୍ବର ୧୦ରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟେଷ୍ଟ ଦଳ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିବ । ଏହି ଗସ୍ତରେ ମୁଖ୍ୟ କୋଚ୍ ଗମ୍ଭୀର ଦଳ ସହ ରହିବେ ।
ଯଦି ଭାରତ ଭିନ୍ନ ଭିନ୍ନ ଦୁଇଟି କୋଚ୍ ରଖେ ତେବେ ଗମ୍ଭୀରଙ୍କୁ ଦିନିକିଆ ଓ ଟି-୨୦ ଏବଂ ଭିଭିଏସ ଲକ୍ଷ୍ମଣଙ୍କୁ ଟେଷ୍ଟ ଦଳର କୋଚ୍ କରାଯାଇପାରେ । ଏବେ ସଭିଙ୍କ ନଜର ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ଉପରେ ରହିଛି । ଦଳ କ୍ରମାଗତ ତୃତୀୟ ଥର କଙ୍ଗାରୁକୁ ତାରି ମାଟିରେ ହରାଇବା ଲକ୍ଷ୍ୟ ନେଇ ଗସ୍ତ କରିଛି । ଯଦି ଭାରତ ୫ ମ୍ୟାଚରୁ ୪ଟିରେ ବିଜୟୀ ହୁଏ ତେବେ ଡବ୍ଲ୍ୟୁଟିସି ଫାଇନାଲରେ ପ୍ରବେଶ କରିପାରେ ।