ଡର୍ବନ: ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ୍ କ୍ଲିନ ସୁଇପ୍ ହାରିବା ପରେ ଏବେ ସଭିଙ୍କ ନଜର ଭାରତୀୟ ଟି-୨୦ ଦଳ ଉପରେ ରହିଛି । ସୂର୍ୟ୍ୟୟକୁମାର ଯାଦବଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାରି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ। ସିରିଜର ପ୍ରଥମ ମ୍ୟାଚ୍ ଆସନ୍ତାକାଲି ଡର୍ବନରେ ଖେଳାଯିବ। ପ୍ରଶଂସକଙ୍କ ପାଇଁ ଆଶ୍ୱସ୍ତିର ବିଷୟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଦଳର ଦ୍ଵିପାକ୍ଷିକ ଟି-୨୦ ସିରିଜରେ ରେକର୍ଡ ଦମଦାର ରହିଛି।
ଗତ ୫ ସିରିଜରେ ଭାରତୀୟ ଦଳ ଅପରାଜୟ ରହିଛି। ଏହି ସମୟରେ ଭାରତ ୨ଟି ସିରିଜ୍ ଜିତିଥିବା ବେଳେ ୩ଟି ସିରିଜ୍ ଡ୍ର ରହିଛି। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏ ପର୍ଯ୍ୟନ୍ତ ୯ଟି ଟି-୨୦ ସିରିଜ୍ ଖେଳା ଯାଇଛି। ଏଥିରୁ ଭାରତ ୪ ଓ ଦକ୍ଷିଣ ଆଫ୍ରିକା ୨ଟି ସିରିଜ୍ ଜିତିଛି। ଭାରତୀୟ ଦଳ ଶେଷ ଥର ୨୦୧୫ ଅକ୍ଟୋବରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ୍ ହାରିଥିଲା। ଏହା ପରଠୁ ଦଳ ସିରିଜ୍ ହାରି ନାହିଁ।
ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟରୁ ଅବସର ନେବା ପରେ ସୂର୍ଯ୍ୟକୁମାର ଯାଦବ ଟି-୨୦ ଦଳର ନେତୃତ୍ୱ ନେଉଛନ୍ତି। ସେମିତିରେ ସୂର୍ଯ୍ୟଙ୍କ ନେତୃତ୍ୱରେ ଟି-୨୦ ଦଳ ଚମତ୍କାର ପ୍ରଦର୍ଶନ କରି ଆସିଛି । ଏଥିସହ ଅଧିନାୟକ ଭାବେ ସୂର୍ଯର୍୍ୟଙ୍କ ରେକର୍ଡ ଦମଦାର ରହିଛି । ତେଣୁ ଯୁବ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି ।
ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳର ଅନେକ ନୂତନ ଓ ଯୁବ ଖେଳାଳିଙ୍କୁ ସାମିଲ କରାଯାଇଛି। ମଧ୍ୟକ୍ରମରେ ବ୍ୟାଟର ରମଣଦୀପ ସିଂ, ଦ୍ରୁତ ବୋଲର ବିଜୟ କୁମାର ବୈଶାକ ଓ ବାମହାତୀ ଦ୍ରୁତ ବୋଲର ୟଶ ଦୟାଲଙ୍କୁ ମଧ୍ୟ ଦଳରେ ସୁଯୋଗ ମିଳିଛି। ଦ୍ରୁତ ବୋଲର ମୟଙ୍କ ଯାଦବ ଓ ଅଲରାଉଣ୍ଡର ଶିବମ ଦୁବେ ଆହତ କାରଣରୁ ଦଳରୁ ବାଦ୍ ପଡ଼ିଛନ୍ତି।
ଭାରତ-ଆଫ୍ରିକା ହେଡ୍ ଟୁ ହେଡ୍
ମୋଟ୍ ମ୍ୟାଚ୍-୨୭
ଭାରତର ବିଜୟ- ୧୫
ଦକ୍ଷିଣ ଆଫ୍ରିକାର ବିଜୟ- ୧୧
ଡ୍ର- ୧
ଆଫ୍ରିକାରେ ଭାରତୀୟ ଦଳର ଟି-୨୦ ରେକର୍ଡ
ମୋଟ୍ ଟି-୨୦ ମ୍ୟାଚ୍- ୧୫
ଭାରତ ଜିତିଛି-୧୦
ହାରିଛି- ୪
ଡ୍ର- ୧