ନୂଆଦିଲ୍ଲୀ: ଭାରତୀୟ ଦଳର ବ୍ୟାଟର କେଏଲ ରାହୁଲ ବହୁ ସମୟ ସମାଲୋଚକଙ୍କ ଟାର୍ଗେଟରେ ରହିଥାନ୍ତି । ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ତାଙ୍କୁ ପ୍ରଥମ ଟେଷ୍ଟ ପରେ ଚୂଡାନ୍ତ ଏକାଦଶରୁ ବାଦ୍ ଦିଆଯାଇଥିଲା । ଏପରିକି ବର୍ତ୍ତମାନ ରାହୁଲ ନିଜର ଫର୍ମକୁ ନେଇ ସଂଘର୍ଷ କରୁଛନ୍ତି । ରାହୁଲଙ୍କୁ ନେଇ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର କହିଛନ୍ତି, ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଓପନିଂ କରିବା ପାଇଁ କେଏଲ ଭଲ ବିକଳ୍ପ ହୋଇ ପାରିବେ । ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଭାରତୀୟ ଦଳର ମୁଖ୍ୟ କୋଚ୍ ଗମ୍ଭୀର ସୋମବାର ସାମ୍ବାଦିକ ସମ୍ମିଳନୀରେ ଅନେକ ପ୍ରଶ୍ନର ଉତ୍ତର ରଖିଛନ୍ତି । ଏହି ସମୟରେ ଗମ୍ଭୀର କେଏଲ ରାହୁଲଙ୍କ ଫର୍ମକୁ ନେଇ ମଧ୍ୟ ନିଜର ମତ ରଖିଛନ୍ତି ।
ଗମ୍ଭୀର କହିଛନ୍ତି, କେଏଲ ରାହୁଲ ଶୀର୍ଷ କ୍ରମରେ ବ୍ୟାଟିଂ କରି ପାରିବେ । ନମ୍ବର ୩ରେ ଓ ନମ୍ବର ୬ରେ ବି ବ୍ୟାଟିଂ କରିବାକୁ ସେ ସକ୍ଷମ । ତାଙ୍କୁ ତୁମେ ଯେଉଁ କ୍ରମରେ ପଠାଇବ ସେ ବ୍ୟାଟିଂ କରିବାକୁ ସମର୍ଥ । ଆପଣଙ୍କୁ ସବୁ ସ୍ଥିତିରେ ବ୍ୟାଟିଂ କରିବା ପାଇଁ ବହୁତ ଦକ୍ଷତାର ଆବଶ୍ୟକତା ରହିଛି । ଏହା ବ୍ୟତୀତ ସେ ଦିନିକିଆରେ ୱିକେଟ୍ କିପିଂ ମଧ୍ୟ କରନ୍ତି । ଥରେ ଚିନ୍ତା କରନ୍ତୁ କେତୋଟି ଦେଶ ପାଖରେ କେଏଲ ରାହୁଲଙ୍କ ପରି ଖେଳାଳି ଅଛନ୍ତି । ଯଦି ରୋହିତ ଶର୍ମା ଉପଲବ୍ଧ ନ ହୁଅନ୍ତି ତେବେ ଇନିଂସର ଓପନ କରିବା ପାଇଁ କେଏଲ ରାହୁଲ ଆମ ପାଇଁ ଏକ ଭଲ ବିକଳ୍ପ ।
କେଏଲ ରାହୁଲ ଭାରତ ପକ୍ଷରୁ ଏ ପର୍ଯ୍ୟନ୍ତ ୫୩ ଟେଷ୍ଟ, ୭୭ ଦିନିକିଆ ଓ ୭୨ ଟି-୨୦ ଅନ୍ତର୍ଜାତୀୟ ଖେଳି ସାରିଛନ୍ତି । ଟେଷ୍ଟ କ୍ରିକେଟରେ ତାଙ୍କ ନାମରେ ୮ଶତକ ରହିଛି । ଏଥିରୁ ସାତ ଶତକ ଦେଶ ବାହାରେ ହିଁ ସେ ହାସଲ କରିଛନ୍ତି । କେଏଲ ରାହୁଲ ୩୩.୮୮ ହାରରେ ୨୯୮୧ ଟେଷ୍ଟ ରନ, ୪୯.୧୬ ହାରରେ ୨୮୫୧ ଦିନିକିଆ ରନ ଓ ୩୭.୭୫ ହାରରେ ୨୨୬୫ ଟି-୨୦ ଅନ୍ତର୍ଜାତୀୟ ରନ ରହିଛି ।