ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମୁକାବିଲା ଆଜି ଖେଳାଯିବ । ଏହି ମ୍ୟାଚ୍ ଗକେବରହାର ସେଣ୍ଟ ଜର୍ଜ ପାର୍କ ଷ୍ଟାଡିୟମରେ ଭାରତୀୟ ସମୟ ସନ୍ଧ୍ୟା ସାଢେ ୭ଟାରେ ଆରମ୍ଭ ହେବ । ଟସ୍ ୭ଟାରେ ପଡିବ । ପ୍ରଥମ ମ୍ୟାଚରେ ଭ୍ରମଣକାରୀ ଭାରତ ଆୟୋଜକ ଦକ୍ଷିଣ ଆଫ୍ରିକାକୁ ୬୧ ରନରେ ହରାଇଥିଲା । ଏଥିସହ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଛି ।
ଆଜିର ମ୍ୟାଚ୍ ସମୟରେ ପବନ ଜୋରରେ ବହିପାରେ । ଆକାଶରେ ବାଦଲ ଦେଖାଯିବ । ତେଣୁ ପିଚ୍ ଦ୍ରୁତ ବୋଲରଙ୍କୁ ସୁହାଇବାର ପୁରା ସମ୍ଭାବନା ରହିଛି । ପିଚ୍ ଓ ପାଣିପାଗକୁ ଦୃଷ୍ଟିରେ ରଖି ଦୁଇ ଦଳ ଜଣେ ଅତିରିକ୍ତ ଦ୍ରୁତ ବୋଲରଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରି ପାରନ୍ତି ।
ଏକ୍ୱେୱେଦରର ରିପୋର୍ଟ ଅନୁସାରେ ଭାରତ ଓ ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ମୁକାବିଲାରେ ବର୍ଷା ମ୍ୟାଚରେ ବାଧକ ସାଜିପାରେ । ମ୍ୟାଚ୍ ବେଳେ ବର୍ଷା ହେବାର ୧୧ ପ୍ରତିଶତ ସମ୍ଭାବନା ରହିଛି । ପ୍ରଥମ ମ୍ୟାଚ୍ ଏକତରଫା ରହିଥିଲେ ହେଁ, ଆଜି ଦ୍ୱିତୀୟ ମ୍ୟାଚ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ମ୍ୟାଚ୍ ଜିତି ସିରିଜକୁ ପ୍ରତ୍ୟାବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଛି । ଭାରତୀୟ ଦଳ ନିଜର ଦମଦାର ପ୍ରଦର୍ଶନ ଜାରି ରଖିବାକୁ ଉଦ୍ୟମ କରିବ ।
ଭାରତର ସମ୍ଭାବିତ ଚୂଡାନ୍ତ ଏକାଦଶ
ସଞ୍ଜୁ ସାମସନ(ୱିକେଟ୍ କିପର), ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ତିଳକ ବର୍ମା, ରିଙ୍କୁ ସିଂ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ୍, ରବି ବିଷ୍ଣୋଇ/ୟଶ ଦୟାଲ, ବରୁଣ ଚକ୍ରବର୍ତ୍ତୀ, ଅଭେଶ ଖାନ ଓ ଅର୍ଶଦୀପ ସିଂ ।
ଦକ୍ଷିଣ ଆଫ୍ରିକାର ସମ୍ଭାବିତ ଚୂଡାନ୍ତ ଏକାଦଶ
ରିଜା ହେଣ୍ଡରିକ୍ସ, ରିୟାନ ରିକେଲଟନ, ଆଡନ ମାରକ୍ରମ(ଅଧିନାୟକ), ଟ୍ରିଷ୍ଟନ ଷ୍ଟବ୍ସ, ହେନରିକ କ୍ଲାସେନ( ୱିକେଟ୍ କିପର), ଡେଭିଡ ମିଲର, ମାର୍କୋ ଜନସେନ, କେଶବ ମହାରାଜ, ଗେରାଲ୍ଡ କୋଏତଜି, ନକାବାୟୋମଜି ପିଟର ଓ ଓଟନିଲ ବାର୍ଟମ୍ୟାନ ।