ବାଲେଶ୍ଵର: ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ(ଡିଆରଡିଓ)କୁ ଆଜି ମିଳିଛି ବଡ଼ ସଫଳତା। ବାଲେଶ୍ଵରର ଚାନ୍ଦିପୁର ପରୀକ୍ଷଣ କେନ୍ଦ୍ରରୁ ପ୍ରଥମ ଥର ପାଇଁ ମୋବାଇଲ୍ ଆର୍ଟିକୁଲେଟେଡ୍ ଲଞ୍ଚରରୁ ଲଙ୍ଗ୍ ରେଞ୍ଜ ଆଟାକ୍ କ୍ରୁଜ୍ ମିସାଇଲ୍ (LRLACM)ର ସଫଳ ପରୀକ୍ଷଣ କରାଯାଇଛି । କ୍ରୁଜ ମିସାଇଲ ପରୀକ୍ଷଣ ସମୟରେ ସମସ୍ତ ଉପ-ପ୍ରଣାଳୀ ଆଶାନୁରୂପ ପ୍ରଦର୍ଶନ କରିଛି ଏବଂ ମିସାଇଲ୍ ନିଜ ଲକ୍ଷ୍ୟକୁ ସଫଳତାର ସହ ଭେଦ କରିଛି । LRLACMକୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ଦୀର୍ଘ ଦୂରରେ ଥିବା ଲକ୍ଷ୍ୟକୁ ଭେଦ କରିବା କ୍ଷମତା ସହ ବିକଶିତ କରାଯାଇଛି।
ମିସାଇଲ୍ ପରୀକ୍ଷଣ ସମୟରେ ରାଡାର, ଇଲେକ୍ଟ୍ରୋ-ଆପ୍ଟିକଲ ଟ୍ରାକିଂ ସିଷ୍ଟମ ଏବଂ ଆଇଟିଆର ଦ୍ୱାରା ବିଭିନ୍ନ ସ୍ଥାନରେ ମୁତୟନ ଥିବା ଟେଲିମେଟ୍ରି ପରି ଅନେକ ରେଞ୍ଜ ସେନସର ଦ୍ୱାରା ନୀରିକ୍ଷଣ କରାଯାଇଛି । ଏହି ପରୀକ୍ଷଣ ଦେଶର ପ୍ରତିରକ୍ଷା ଶକ୍ତିକୁ ଆହୁରି ମଜବୁତ କରିବ। ଏହା ସହିତ ସ୍ୱଦେଶୀ ମିସାଇଲ ପ୍ରଣାଳୀର ବିକାଶ ପାଇଁ ଏକ ମାଇଲ୍ ଖୁଣ୍ଟ ।
ଏହା ହେଉଛି ଆଣ୍ଟି ସିପ୍ ବାଲିଷ୍ଟିକ୍ କ୍ରୁଜ ମିସାଇଲର, ଯାହାର ଲକ୍ଷ୍ୟଭେଦ କ୍ଷମତା ୧୦୦୦ କିଲୋମିଟର । ଅର୍ଥାତ୍ ଏହି ମିସାଇଲ୍ ୧୦୦୦ କିଲୋମିଟରରୁ ଅଧିକ ଦୂରରେ ଥିବା ଯୁଦ୍ଧଜାହାଜ ଏବଂ ବିମାନ ବାହାକକୁ ଜାହାଜକୁ ଧ୍ଵଂସ କରିବାରେ ସକ୍ଷମ । ଏହି ମିସାଇଲ୍ ଭାରତ ମହାସାଗରୁ ଆରବ ସାଗର ଯାଏ ଏବଂ ଚୀନରୁ ପାକିସ୍ତାନ ଯାଏ ଟାର୍ଗେଟ୍ କରିପାରିବ । ଏହି ମିସାଇଲକୁ ଯୁଦ୍ଧଜାହାଜ ଏବଂ ଉପକୂଳ ଉଭୟ ସ୍ଥାନରୁ ନିକ୍ଷେପ କରାଯାଇ ପାରିବ । ଏହି ମିସାଇଲ୍ ସିଷ୍ଟମକୁ ଭାରତୀୟ ନୌସେନା ପାଇଁ ବିକଶିତ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ୍ସରେ ପୋଷ୍ଟ କରି ଏହି ସଫଳତା ପାଇଁ ଡିଆରଡିଓ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।