ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଖେଳିବା ପାଇଁ ଭାରତ ପାକିସ୍ତାନ ଗସ୍ତ କରିବାକୁ ମନା କରିବା ପରେ କ୍ରିକେଟ୍ ଜଗତରେ ଚହଳ ପଡିଛି । ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି)ର ମୁସ୍କିଲ ବଢାଇ ଦେଇଛି ବିସିସିଆଇ । ବିସିସିଆଇ ଚାମ୍ପିଅନ୍ସ ଟ୍ରଫି ହାଇବ୍ରିଡ ମୋଡେଲ୍ ଆଧାରରେ ଆୟୋଜନ କରିବା ପାଇଁ ଆଇସିସି ଜରିଆରେ ପାକିସ୍ତାନ ଉପରେ ଚାପ ପକାଇଛି । ଭାରତୀୟ ଦଳର ମ୍ୟାଚ୍ ଦୁବାଇରେ ଖେଳାଯାଉ ଏବଂ ବାକି ସମସ୍ତ ମ୍ୟାଚ୍ ପାକିସ୍ତାନରେ ଆୟୋଜିତ କରାଯାଉ ବୋଲି ବିସିସିଆଇ ଚାହୁଁଛି । କିନ୍ତୁ ପାକିସ୍ତାନ ବିସିସିଆଇର ଏହି ପ୍ରସ୍ତାବ ମାନିବାକୁ ପ୍ରସ୍ତୁତ ନୁହେଁ । ଏପରିକି ଏହା ମଧ୍ୟ କୁହାଯାଉଛି ଯଦି ଭାରତ ପାକିସ୍ତାନ ନ ଆସେ ତେବେ ପିସିବି ଟୁର୍ଣ୍ଣାମେଣ୍ଟ ଆୟୋଜନରୁ ପଛକୁ ହଟିପାରେ । ଯଦି ଏମିତି ହୁଏ ତେବେ ଅନ୍ୟ ଏକ ଦେଶରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରାଯାଇପାରେ ।
କ୍ରିକବଜର ରିପୋର୍ଟ ଅନୁସାରେ, ବିସିସିଆଇ ଇମେଲ୍ ଜରିଆରେ ଆଇସିସିକୁ ଅବଗତ କରାଇ ଦେଇଛି ଯେ, ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫି ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିବ ନାହିଁ । ସୁରକ୍ଷା ଦୃଷ୍ଟିକୋଣରୁ ଭାରତ ସରକାର ନିଜ ଦଳକୁ ପାକିସ୍ତାନ ପଠାଇବା ପକ୍ଷରେ ନାହାନ୍ତି । ଏମିତିରେ ଟୁର୍ଣ୍ଣାମେଣ୍ଟ ହାଇବ୍ରିଡ ମୋଡେଲ ଆଧାରରେ ଆୟୋଜିତ କରାଯାଇପାରେ ।
ଅନ୍ୟପଟେ ପାକିସ୍ତାନ ସରକାର ଏଥିରେ ହସ୍ତକ୍ଷେପ କରିଛି । ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସରକାର ପିସିବିକୁ କହିଛି ଯେ, ଯଦି ଭାରତୀୟ ଦଳ ପାକିସ୍ତାନ ନ ଆସେ ତେବେ ଟୁର୍ଣ୍ଣାମେଣ୍ଟର ଆୟୋଜନ ଛାଡି ଦିଆଯାଉ । ସରକାରଙ୍କ ପକ୍ଷରୁ ମଧ୍ୟ ଏହି ସଙ୍କେତ ଦିଆଯାଇଛି ଯେ, ପିସିବି ହାଇବ୍ରିଡ ମୋଡେଲକୁ କଦାପି ଗ୍ରହଣ କରିବା ଉଚିତ୍ ନୁହେଁ । ଏମିତି ସ୍ଥିତିରେ ଯଦି ଟୁର୍ଣ୍ଣାମେଣ୍ଟର ଆୟୋଜନରୁ ପାକିସ୍ତାନ ହଟେ ତେବେ ପୁରା ଟୁର୍ଣ୍ଣାମେଣ୍ଟ ଦକ୍ଷିଣ ଆଫ୍ରିକାରେ ଆୟୋଜିତ କରାଯାଇପାରେ ।
ଏମିତି ସ୍ଥିତିରେ ଦକ୍ଷିଣ ଆଫ୍ରିକା ଏକ ଭଲ ବିକଳ୍ପ ଭାବେ ସାମ୍ନାକୁ ଆସିଛି । ଫେବୃଆରୀ ପ୍ରଥମ ସପ୍ତାହରେ ସେଠାରେ ଏସଏ ଟି-୨୦ ଲିଗ୍ ସମାପ୍ତ ହୋଇ ସାରିଥିବ ଏବଂ ଚାମ୍ପିଅନ୍ସ ଟ୍ରଫି ଆୟୋଜନ ପାଇଁ ୱିଣ୍ଡୋ ଖୋଲା ରହିବ । ଏହା ବ୍ୟତୀତ ଦକ୍ଷିଣ ଆଫ୍ରିକା ଦୀର୍ଘ ସମୟରୁ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜିତ କରିନାହିଁ । ତେଣୁ ଦକ୍ଷିଣ ଆଫ୍ରିକା ଏକ ଭଲ ବିକଳ୍ପ ହୋଇ ପାରିବ ।