ନୂଆଦିଲ୍ଲୀ: ଚୀନରେ ହିଟ୍ ଆଣ୍ଡ ରନ୍ର ଭୟାବହ ଘଟଣା ସାମନାକୁ ଆସିଛି । ଦକ୍ଷିଣ ଚୀନର ଝୁହାଇ ସହରରେ ଜଣେ ଦୁର୍ବୃତ୍ତ ସ୍ପୋର୍ଟ୍ସ ସେଣ୍ଟର ବାହାର ବ୍ୟାୟାମ କରୁଥିବା ଶତାଧିକ ଲୋକଙ୍କ ଉପରେ କାର ଚଢାଇ ଦେଇଛି । ଏହି ଦୁର୍ଘଟଣାରେ ଅତି କମରେ ସୁଦ୍ଧା ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୩ରୁ ଅଧିକ ଜଣ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଆହତଙ୍କ ଚିକିତ୍ସା ଏବଂ ଡ୍ରାଇଭରଙ୍କୁ କଠୋର ଦଣ୍ଡ ଦେବାକୁ ରାଷ୍ଟ୍ରପତି ସି ଜିନପିଙ୍ଗ୍ ନିର୍ଦ୍ଦେଶ ଦେଇଛନ୍ତି।
ପୋଲିସ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିଛି । ପୋଲିସ ଅଧିକାରୀ ଏହାର ତଦନ୍ତ କରୁଛନ୍ତି ଯେ, ଏହି ଦୁର୍ଘଟଣା ଥିଲା ନା ଷଡଯନ୍ତ୍ର । ଦୁର୍ଘଟଣା ପରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ପୋର୍ଟ୍ସ କମ୍ପ୍ଲେକ୍ସକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଏପି ରିପୋର୍ଟ ଅନୁସାରେ ଚୀନ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ଦ୍ୱାରା ଆୟୋଜିତ ଝୁହାଇ ଏୟାର ସୋ’ର ଗୋଟିଏ ଦିନ ପୂର୍ବର ଏହି ଦୁର୍ଘଟଣା ଘଟିଛି । ଗିରଫ ଡ୍ରାଇଭରଙ୍କ ଚିହ୍ନଟ ୬୨ ବର୍ଷୀୟ ଫାନଙ୍କ ରୂପେ ହୋଇଛି । ସାମାନ୍ୟ ଆହତ ଲୋକେ ଉପଚାର ପରେ ଘରକୁ ଫେରିଥିବା ଝୁହାଇର ସାଙ୍ଗ ଚୋଙ୍ଗ ହସ୍ପିଟାଲ୍ କର୍ତ୍ତୃପକ୍ଷ କହିଛନ୍ତି ।
ଏହି ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଅନେକ ଲୋକ ରାସ୍ତାରେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଛି । ଏହାସହ ଲୋକଙ୍କ ଚିତ୍କାର ମଧ୍ୟ ଶୁଣିବାକୁ ମିଳୁଛି ।
ପୋଲିସ ସୂଚନା ଅନୁସାରେ ଅଭିଯୁକ୍ତ ଫାନ ଦୁର୍ଘଟଣାସ୍ଥଳରୁ ଫେରାର ହେବା ଯୋଜନାରେ ଥିଲା । ଏହି ସମୟରେ ଛୁରୀରେ ସେ ନିଜକୁ ମଧ୍ୟ ଆକ୍ରମଣ କରି କ୍ଷତି ପହଞ୍ଚାଇବାକୁ ଚାହିଁଥିଲା । ତେବେ ପୋଲିସ ଅଭିଯୁକ୍ତକୁ କାବୁ କରି ନେଇଛି ।