ନୂଆଦିଲ୍ଲୀ: ବୃଥା ହେଲା ବରୁଣ ଚକ୍ରବର୍ତ୍ତୀଙ୍କ ନିଜର ଟି-୨୦ ଅନ୍ତର୍ଜାତୀୟର ଶ୍ରେଷ୍ଠ ବୋଲିଂ । ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତକୁ ୩ ୱିକେଟରେ ହରାଇଛି । ଏଥିସହ ଚାରି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ଘରୋଇ ଦଳ ୧-୧ରେ ବରାବର କରିଛି । ଏହି ଲୋ ସ୍କୋରିଂ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୬ ୱିକେଟ ହରାଇ ୧୨୪ ରନ କରିଥିଲା । ତଥାପି ଭାରତୀୟ ସ୍ପିନର ଦମଦାର ବୋଲିଂ କରି ଦଳ ପାଇଁ ବିଜୟ ଆଶା ସଞ୍ଚାର କରିଥିଲେ । କିନ୍ତୁ ଟ୍ରିଷ୍ଟନ ଷ୍ଟବ୍ସ ଅପରାଜିତ ୪୭ ରନ କରି ଭାରତ ମୁହଁରୁ ବିଜୟ ଛଡାଇ ନେଇଛନ୍ତି । ଆଉ ବରୁଣ ଚକ୍ରବର୍ତ୍ତୀ ୫ ୱିକେଟ ସଫଳା ବୃଥା ହୋଇଛି ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଆରମ୍ଭ ନୈରାଶ୍ୟଜନକ ଥିଲା । ଗତ ମ୍ୟାଚର ହିରୋ ସଞ୍ଜୁ ସାମସନ ଆଜି ଶୂନ୍ୟରେ ଆଉଟ୍ ହୋଇଥିଲେ । ପୁଣି ଥରେ ଅଭିଷେକ ଶର୍ମା ବିଫଳ ହୋଇ ମାତ୍ର ୪ ରନ କରି ଆଉଟ୍ ହୋଇଥିଲେ । ଅଧିନାୟକ ସୂର୍ଯ୍ୟକୁମାର ଯାଦବ(୪) ମଧ୍ୟ କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ । ତିଳକ ବର୍ମାଙ୍କୁ ପୁଣି ଥରେ ଭଲ ଆରମ୍ଭ ମିଳିଥିଲେ ହେଁ ସେ ୨୦ ରନ କରି ପାଭିଲିୟନ ଫେରିଥିଲେ । ମଧ୍ୟକ୍ରମରେ ଅକ୍ଷର ପଟେଲ୍ ୨୭ ରନ କରି ଦୁଭାର୍ଗପୂର୍ଣ୍ଣ ଢଙ୍ଗରେ ରନ ଆଉଟ୍ ହୋଇଥିଲେ । ନିମ୍ନରେ ହାର୍ଦ୍ଦିକ ପାଣ୍ଡ୍ୟା ଧୈର୍ଯ୍ୟର ସହ ବ୍ୟାଟିଂ କରି ୪୫ ବଲରୁ ୩୯ ରନ କରିବାରୁ ଭାରତ ୧୨୪ ରନରେ ପହଞ୍ଚି ପାରିଥିଲା ।
୧୨୫ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଦକ୍ଷିଣ ଆଫ୍ରିକାର ଆରମ୍ଭ ଭଲ ନ ଥିଲା । ଦଳ ୪୪ ରନରେ ୩ ୱିକେଟ୍ ହରାଇଥିଲା । ବରୁଣ ଚକ୍ରବର୍ତ୍ତୀ ଘାତକ ବୋଲିଂ କରି ଦକ୍ଷିଣ ଆଫ୍ରିକାର ମଧ୍ୟକ୍ରମରେ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲା । ୮୬ ରନ ସ୍କୋରରେ ଘରୋଇ ଦଳ ୭ ୱିକେଟ ହରାଇ ସଙ୍କଟରେ ପଡିଥିଲା । ତେବେ ଶେଷ ଆଡକୁ ଭାରତର ଦ୍ରୁତ ବୋଲର ପ୍ରଭାବହୀନ ବୋଲିଂ କରିଥିଲେ । ଆଉ ଯାହାର ଫାଇଦା ଉଠାଇଥିଲେ ଟ୍ରିଷ୍ଟନ ଷ୍ଟବ୍ସ ଓ ଗେରାଲଡ କୋଏତଜି । ଦୁଇ ବ୍ୟାଟର ଅବିଭାଜିତ ଅଷ୍ଟମ ୱିକେଟରେ ୪୨ ରନ ଯୋଡି ବିଜୟ ସୁନିଶ୍ଚିତ କରିଥିଲେ । କୋଏତଜି ଜଣେ ବୋଲର ହୋଇଥିଲେ ହେଁ ଶେଷ ଆଡକୁ ୯ ବଲରୁ ୧୯ ରନର ଧୂଆଁଧାର ବ୍ୟାଟିଂ କରିଥିଲେ । ଆଉ ଷ୍ଟବ୍ସ ୪୧ ବଲରୁ ୪୭ ରନର କରି ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ ।
ବରୁଣ ଚକ୍ରବର୍ତ୍ତୀ ୪ ଓଭରରେ ମାତ୍ର ୧୭ ରନ ଦେଇ ୫ ସଫଳତା ହାସଲ କରିଥିଲେ ହେଁ ବୃଥା ହୋଇଛି । ଟି-୨୦ ଅନ୍ତର୍ଜାତୀୟରେ ଗୋଟିଏ ଇନିଂସରେ ୫ ୱିକେଟ ସଫଳତା ହାସଲ କରିବାରେ ସେ ଦେଶର ପଞ୍ଚମ ବୋଲର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତାଙ୍କ ପୂର୍ବରୁ ଭୁବନେଶ୍ୱର କୁମାର ଓ କୁଲଦୀପ ଯାଦବ ଦୁଇ ଦୁଇ ଥର ଲେଖାଏଁ ଏହି ସଫଳତା ହାସଲ କରିଛନ୍ତି । ୟୁଜବେନ୍ଦ୍ର ଚହଲ ଓ ଦୀପକ ଚହର ଥରେ ଲେଖାଏଁ ୫ ୱିକେଟ ସଫଳତା ପ୍ରାପ୍ତ କରିଛନ୍ତି ।