ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ନେଇ ମାମଲା ବିଗିଡ଼ିବାରେ ଲାଗିଛି। ବିସିସିଆଇ ଆଇସିସିକୁ ଜଣାଇ ଦେଇଛି ଯେ, ଭାରତୀୟ ଦଳ କୌଣସି ବି ସ୍ଥିତିରେ ପାକିସ୍ତାନ ଗସ୍ତ କରିବ ନାହିଁ। ତଥାପି ପିସିବି ଚାମ୍ପିଅନ୍ସ ଟ୍ରଫିକୁ ପାକିସ୍ତାନରେ ଆୟୋଜନ କରିବା ନେଇ ନିଜ ଜିଦରେ ବି ଅଟଳ ରହିଛି। ଅନ୍ୟପଟେ ବିସିସିଆଇ ହାଇବ୍ରିଡ ମୋଡେଲ୍ର ଅଫର ଦେଇଛି, ଯାହାକୁ ଗ୍ରହଣ କରିବାକୁ ପିସିବି ପ୍ରସ୍ତୁତ ନୁହେଁ।
ପାକିସ୍ତାନର ଏକ ପ୍ରତିଷ୍ଠିତ ଖବରକାଗଜରେ ଛପିଥିବା ରିପୋର୍ଟ ଅନୁଯାୟୀ, ପିସିବି ସ୍ପଷ୍ଟ ଭାବେ ଆଇସିସିକୁ ଜଣାଇ ଦେବ ଯେ, ଭବିଷ୍ୟତରେ ୨୦୨୫ ଚାମ୍ପିଅନ୍ସ ଟ୍ରଫି ସହିତ କୌଣସି ବି ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନକୁ ଗୋଟିଏ ଗ୍ରୁପରେ ରଖା ନ ଯାଉ। ଯେ ପର୍ଯ୍ୟନ୍ତ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବାକୁ ସହମତି ନ ଦେଇଛି ସେ ପର୍ଯ୍ୟନ୍ତ ପାକିସ୍ତାନ ଭାରତୀୟ ଦଳ ସହ ମ୍ୟାଚ୍ ଖେଳିବ ନାହିଁ।
ଏହା ପୂର୍ବରୁ ରିପୋର୍ଟ ଆସିଥିଲା ଯେ, ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଆଇସିସି ଜଣାଇ ଦେଇଛି ଯେ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବ ନାହିଁ। ତେବେ ଭାରତ କାହିଁକି ନିଜର ଦଳ ପାକିସ୍ତାନ ପଠାଇବାକୁ ଚାହୁଁନାହିଁ ଏହି ସମ୍ବନ୍ଧରେ ପାକିସ୍ତାନୀ କ୍ରିକେଟ୍ ବୋର୍ଡ ଆଇସିସିକୁ ପ୍ରଶ୍ନ କରିବ ବୋଲି ଖବର ପ୍ରକାଶ ପାଇଥିଲା।
ପିସିବି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦକୁ ଚିଠି ଲେଖି ଜଣାଇଛି ଯେ, ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟ ଖେଳୁ କି ନ ଖେଳୁ ପାକିସ୍ତାନ କୌଣସି ବି ସ୍ଥିତିରେ ଚାମ୍ପିଅନ୍ସ ଟ୍ରଫିର ଆୟୋଜନରୁ ଓହରିବ ନାହିଁ। ବିସିସିଆଇ ନିଜର ଦଳକୁ ପାକିସ୍ତାନ କାହିଁକି ପଠାଇବ ନାହିଁ ତାର କାରଣ ଜଣାଇ ନାହିଁ। କାରଣ ଜାଣିବା ପରେ ହିଁ ପିସିବି ଏହି ସମସ୍ୟାର ସମାଧାନ ଉପରେ ବିଚାର କରିବ ବୋଲି କୁହାଯାଇଛି।
ସୂଚନାଯୋଗ୍ୟ, ୨୦୨୫ ଚାମ୍ପିଅନ୍ସ ଟ୍ରଫି ଫେବୃଆରୀ ୧୯ରୁ ଆରମ୍ଭ ହେବ। ଏହାର ଫାଇନାଲ୍ ମ୍ୟାଚ୍ ମାର୍ଚ୍ଚ ୯ ତାରିଖ ଖେଳାଯିବ। କିନ୍ତୁ ଏ ପର୍ଯ୍ୟନ୍ତ କ୍ରୀଡ଼ାସୂଚୀ ଘୋଷଣା ହୋଇ ନାହିଁ। ଏହାର କାରଣ ଭାରତ ପାକିସ୍ତାନ ଆସିବାକୁ ମନା କରିବା ରହିଛି। ଭାରତ ହାଇବ୍ରିଡ ମୋଡେଲ୍ ଆଧାରରେ ଚାମ୍ପିଅନ୍ସ ଟ୍ରଫି ଖେଳା ଯାଉ ବୋଲି ଚାହୁଁଛି। କିନ୍ତୁ ପାକିସ୍ତାନ ଏହା ମାନିବାକୁ ପ୍ରସ୍ତୁତ ନୁହେଁ।