ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫିକୁ ନେଇ ଆସିଛି ବଡ଼ ଖବର। ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହୋଇଛି। ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ କ୍ରିକେଟ୍ ଦଳ ପାକିସ୍ତାନ ଗସ୍ତ କରିବ ନାହିଁ । ଏ ବାବଦରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଶନିବାର ଆଇସିସିକୁ ଜଣାଇ ଦେଇଛି। ଇଏସପିଏନ କ୍ରିକଇମ୍ପୋର ରିପୋର୍ଟରୁ ଏହି ଖବର ପ୍ରକାଶ ପାଇଛି। ବିସିସିଆଇ ଆଇସିସିକୁ ଜଣାଇ ଦେଇଛି ଯେ, ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବ ନାହିଁ। ଫଳରେ ଟୁର୍ଣ୍ଣାମେଣ୍ଟ ଏବେ ହାଇବ୍ରିଡ ମୋଡେଲ୍ ଆଧାରରେ ଖେଳାଯିବାର ସମ୍ଭାବନା ଅଧିକ ରହିଛି।
ଯଦି ହାଇବ୍ରିଡ ଆଧାରରେ ଚାମ୍ପିଅନ୍ସ ଟ୍ରଫି ଖେଳାଯାଏ ତେବେ ଭାରତୀୟ ଦଳ ନିଜର ସମସ୍ତ ମୁକାବିଲା ୟୁଏଇରେ ଖେଳିପାରେ। ଏପରିକି ସର୍ଟଲିଷ୍ଟରେ ଶ୍ରୀଲଙ୍କା ମଧ୍ୟ ଆୟୋଜନ ପାଇଁ ଦୌଡ଼ରେ ରହିଛି। କିନ୍ତୁ ପାକିସ୍ତାନଠୁ ନିକଟରେ ଥିବା କାରଣରୁ ୟୁଏଇ ଦୌଡ଼ରେ ଆଗରେ ରହିଛି। ଚଳିତ ସପ୍ତାହରେ ହିଁ ବିସିସିଆଇ ନିଜର ନିଷ୍ପତ୍ତି ବିଷୟରେ ଆଇସିସିକୁ ଜଣାଇ ଦେଇଛି।
କୁହାଯାଉଚି ଆଇସିସି ପିସିବିକୁ ଏହା ଜଣାଇବା ପୂର୍ବରୁ ବିସିସିଆଇଠୁ ଲିଖିତ ଆକାରରେ ମାଗି ଥାଇପାରେ। ପିସିବି ଅଧ୍ୟକ୍ଷ ମୋହସିନ ନକଭି ଶୁକ୍ରବାର କହିଥିଲେ ଯେ, ଯଦି ବିସିସିଆଇର କୌଣସି ସମସ୍ୟା ଅଛି ତେବେ ଏହା ଲିଖିତ ଭାବେ ଆମକୁ ଜଣାଇବାକୁ ପଡ଼ିବ। ନକଭି ଏହା ମଧ୍ୟ କହିଥିଲେ, ପିସିବି ପକ୍ଷରୁ ହାଇବ୍ରିଡ ମୋଡେଲ୍ ବିଷୟରେ କୌଣସି ଆଲୋଚନା କରାଯାଇ ନାହିଁ। କିନ୍ତୁ ବିସିସିଆଇ ଓ ଆଇସିସି ଯଦି ଏହି ବିଷୟରେ ଆଲୋଚନା କରିବା ଚାହିଁବେ ତେବେ ବୋର୍ଡ ପ୍ରସ୍ତୁତ ଅଛି।
ପ୍ରସ୍ତାବିତ କ୍ରୀଡ଼ାସୂଚୀ ଅନୁଯାୟୀ, ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୧୯ରେ ଉଦଘାଟନୀ ମ୍ୟାଚ୍ ଓ ଫାଇନାଲ୍ ମ୍ୟାଚ୍ ମାର୍ଚ୍ଚ ୯ରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟକୁ ଆଉ ୧୦୦ ଦିନ ବାକି ଥିବା ବେଳେ ଏ ପର୍ଯ୍ୟନ୍ତ କ୍ରୀଡ଼ାସୂଚୀ ଘୋଷଣା କରାଯାଇ ନାହିଁ। ଆଶା କରାଯାଉଛି ଖୁବ୍ ଶୀଘ୍ର ପିସିବି ଓ ଆଇସିସି ପକ୍ଷରୁ କ୍ରୀଡ଼ାସୂଚୀ ଘୋଷଣା ହୋଇପାରେ।
ସୂଚନାଯୋଗ୍ୟ, ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଆଠ ଦଳ ଅଂଶଗ୍ରହଣ କରିବେ। ଚାରୋଟି ଲେଖାଏଁ ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି। ଚାମ୍ପିଅନ୍ସ ଟ୍ରଫିରେ ଭାରତ ବ୍ୟତୀତ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ଅଂଶଗ୍ରହଣ କରିବେ। ପ୍ରସ୍ତାବିତ କ୍ରୀଡ଼ାସୂଚୀ ଅନୁସାରେ ଗୋଟିଏ ଗ୍ରୁପରେ ଭାରତ ଓ ପାକିସ୍ତାନକୁ ରଖାଯାଇଛି। ଏହି ହାଇଭୋଲଟେଜ୍ ମ୍ୟାଚ୍ ମାର୍ଚ୍ଚ ୧ ତାରିଖରେ ଲାହୋରରେ ଖେଳା ଯିବାର ଥିଲା। ତେବେ ଭାରତ ପାକିସ୍ତାନ ନ ଯିବା ସ୍ଥିତିରେ ଆୟୋଜନ ସ୍ଥଳ ପରିବର୍ତ୍ତନ ହେବ।